ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁତ କାମ କରିଛନ୍ତି ରାଜ୍ୟ ସରକାର

1 min read

ଭୁବନେଶ୍ବର: ଓଡ଼ିଶାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା କରୁଛନ୍ତି ରାଜ୍ଯ ସରକାର । ନୂତନ ଓଡ଼ିଶା ନବୀନ ଓଡ଼ିଶା ପାଇଁ ସବୁ କ୍ଷେତ୍ରରେ ବଳିଷ୍ଠ ଓ ସୁଦୃଢ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ରାଜ୍ଯର ଭିତ୍ତିଭୂମିରେ ଆସିଥିବା ରୂପାନ୍ତରଣ ସମ୍ପର୍କରେ ପ୍ରେସମିଟରେ ତଥ୍ଯ ଉପସ୍ଥାପନ କରିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡ. ସଂତୃପ୍ତ ମିଶ୍ର । ରାଜ୍ଯରେ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆସିଛି । ଉତ୍ତରରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ୬୩୫ କିଲୋମିଟରର ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହୋଇସାରିଛି । ବିଗତ ୪ରୁ ୫ବର୍ଷ ଭିତରେ  ୨୦୪ଟି ବ୍ରିଜ, ୧୩ଟି ରୋଡ୍ ଓଭର ବ୍ରିଜ, ୧୨ଟି ଚେକ୍ ଡ୍ଯାମ ଏବଂ ୮ ହଜାର ୨୦୭ କିଲୋମିଟର ରାସ୍ତାର ଉନ୍ନତିକରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୪୨ଟି ବ୍ରିଜ, ୪ଟି ରୋଡ୍ ଓଭରବ୍ରିଜ, ୧ ହଜାର ୫୯୦ କିଲୋମିଟର ରାସ୍ତାର ଉନ୍ନତିକରଣ କରାଯାଇପାରିଛି । ମାଓ ପ୍ରଭାବିତ ଅଞ୍ଚଳରେ ୬୦୨ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ରାଜ୍ଯ ସରକାର ।

ବିଜୁ ସେତୁ ଯୋଜନାରେ ଗତ ୧୦ ବର୍ଷରେ ୧ ହଜାର ୪୧୫ଟି ବ୍ରିଜ ନିର୍ମାଣ ହୋଇଛି । ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ସହରକୁ ଯୋଡ଼ାଯାଇପାରିଛି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ଓ ଭୁବେଶ୍ବରରେ ବାବା ସାହେବ ଭିମରାଓ ଆମ୍ବେଦକର ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ମେଟ୍ରୋ ଟ୍ରେନ ପାଇଁ ଭିତ୍ତିସ୍ଥାପନ ହୋଇଥିବାବେଳେ ପରବର୍ତ୍ତୀ ପ୍ରକ୍ରିଯା ଜାରି ରହିଛି ।  ରାଜ୍ଯକୁ ଆସୁଥିବା ନିବେଶକୁ ଲକ୍ଷ୍ଯରେ ରଖି  ବିମାନବନ୍ଦରର ଆବଶ୍ଯକତା ପୂରଣ କରାଯାଉଛି । ଭୁବନେଶ୍ବର ବିମାନବନ୍ଦରରୁ ବିଦେଶକୁ ଡାଇରେକ୍ଟ ଫ୍ଲାଇଟ ଉଡ଼ୁଛି । ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି  । ମାଲକାନଗିରିକୁ ଭୁବନେଶ୍ବରରୁ ବିମାନସେବା ଆରମ୍ଭ ହୋଇଥିବାବେଳେ ଉତକେଲା ଓ ରଙ୍ଗେଇଲୁଣ୍ଡା ମଧ୍ଯ ନୂଆ ଆଶା ସୃଷ୍ଟି କରିଛି । ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାର ଉନ୍ନତିକରଣ କରାଯାଇଛି ।

୫ଟି ମହାନଗର ନିଗମ ସହ ୧୦୯ ସହରରେ ଡ୍ରିଙ୍କ ଫ୍ରମ ଟ୍ଯାପରେ ପାଣି ପହଞ୍ଚୁଛି । ଗ୍ରାମାଞ୍ଚଳରେ ମଧ୍ଯ ପାନୀୟ ଜଳ ଯୋଗାଣ ପାଇ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଜଳସେଚନ କ୍ଷେତ୍ରରେ ଏକାଧିକ ଐତିହାସିକ ପ୍ରକଳ୍ପ ନିର୍ମାଣ କରିଛନ୍ତି ରାଜ୍ଯ ସରକାର । ଶ୍ରୀମନ୍ଦିର ପରିକ୍ରମା, ସମଲେଇ ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ ଧାର୍ମିକ କ୍ଷେତ୍ରକୁ ସମୃଦ୍ଧ କରୁଛି । କାକଟପୁର- ଚନ୍ଦ୍ରଭାଗାକୁ ୬ ଲେନ୍ ରାସ୍ତା ନିର୍ମାଣ ହେଉଛି । ଡିଜିଟାଲ ଭିତ୍ତିଭୂମିରେ ମଧ୍ଯ ଓଡ଼ିଶା ଢେର ଆଗକୁ ଯାଇଛି । ୬ଟି ଉପକୂଳ ଜିଲ୍ଲାରେ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଇଁ ଭିତ୍ତିଭୂମି ସୁଦୃଢ କରାଯାଇଛି । ଗୋପାଳପୁର ଓ ପାରାଦୀପରେ ଡପଲର ୱେଦର ରାଡାର ଲାଗିଛି । ୨୫ ଜିଲ୍ଲାରେ ୮୩୭ ବହୁମୁଖୀ ବାତ୍ଯା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିବାବେଳେ ୨୯ଟି ନିର୍ମାଣ ହେଉଛି । ୭ ହଜାରରୁ ଅଧିକ ବର୍ଷା ଜଳ ପରିମାପକ ଯନ୍ତ୍ରର ବ୍ଯବସ୍ଥା କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ ଏସିଆର ସର୍ବଶ୍ରେଷ୍ଠ ଇନଡୋର ଆଥଲେଟିକ ଷ୍ଟାଡିୟମ ସହ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି । କ୍ରୀଡ଼ା, ଶିକ୍ଷା ଓ ସ୍ବାସ୍ଥ୍ଯ କ୍ଷେତ୍ରରେ ଅନେକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ। ୮୩ଟି ଓଲଡେଜ୍ ହୋମ୍  ନିର୍ମାଣ କରିଛନ୍ତି ରାଜ୍ଯ ସରକାର । ଫାଇଭ-ଟି ଉପକ୍ରମରେ ନୂତନ ଓଡ଼ିଶା ନବୀନ ଓଡ଼ିଶା ପାଇଁ ନୂଆ ଯୋଜନା ଅଣାଯାଉଛି ।