spot_img

Latest Posts

କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସ୍ପିକୁ କେନ୍ଦ୍ର ନିଶ୍ଚିତ କରୁ : ବିଜେଡି

ଭୁବନେଶ୍ବର :  ତେଜିଲା ଧାନକିଣା ପଲିଟିକ୍ସ। କେନ୍ଦ୍ର ବଜେଟରେ ଚାଷୀ ବିରୋଧୀ ମାନସିକତାର ପ୍ରତିଫଳନ। କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସ୍ପିକୁ କେନ୍ଦ୍ର ନିଶ୍ଚିତ କରିବାକୁ ବିଜେଡି ଦାବି କରିଛି। କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା କାଟ୍ କରିଛନ୍ତି। ଫଳରେ ଚାଷୀ ସେମାନଙ୍କ ଏମ୍ଏସ୍ପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ କମିବ। ଏହା ଓଡିଶାର ଚାଷୀଙ୍କୁ ବିଶେଷ କରି ପଶ୍ଚିମ ଓଡିଶାର ଚାଷୀଙ୍କୁ ପ୍ରଭାବିତ କରିବ । ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ବଜେଟ୍ରେ ଅର୍ଥ ହ୍ରାସ ଯୋଗୁଁ କେନ୍ଦ୍ର ଏମ୍ଏସ୍ପିକୁ ଦେଢ ଗୁଣା ବୃଦ୍ଧି କରିବ ନାହିଁ। ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣି ଥରେ ପ୍ରତ୍ୟାଖାନ କରିବ। ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ।

କେନ୍ଦ୍ର ମଧ୍ୟ ଓଡିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି। ଏଫ୍ସିଆଇ ଦ୍ୱାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଯାଉଥିବା ବେଳେ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ଲକ୍ଷ ଟନ୍ କରିଛି। କେବଳ ଓଡ଼ିଶାର ବରଗଡ ଜିଲ୍ଲା ୪ ଲକ୍ଷ ଟନ୍ ଚାଉଳ ଉତ୍ପାଦନ କରେ, ବାକି ୨୯ଟି ଜିଲ୍ଲାର ଅବସ୍ଥା କଣ ହେବ ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁଁ ପଶ୍ଚିମ ଓଡ଼ିଶାର ଚାଷୀ ଅଧିକ କ୍ଷତିଗ୍ରସ୍ତ ହେବେ। ପଶ୍ଚିମ ଓଡିଶାର ପାଞ୍ଚ ଜଣ ବିଜେପି ସାଂସଦ କଣ କରୁଛନ୍ତି? ସେମାନେ ୨୦୧୯ରେ ପଶ୍ଚିମ ଓଡିଶାର ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଧାନକିଣା ନେଇ ପଦେ ବି କହୁନାହାନ୍ତି। ରାଜ୍ୟର କେନ୍ଦ୍ରମନ୍ତ୍ରୀ ମାନେ କାହିଁକି ଚୁପ୍ ରହିଛନ୍ତି? ସମସ୍ତ ବଳକା ଖାଦ୍ୟ ଶସ୍ୟକୁ ଧାନ କିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର କିଣିବାକୁ ବିଜେଡି ଦାବି କରିଛି।

Latest Posts

Don't Miss