୧୦ ଦିନ ବିତିଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ : ବିଜେଡି

1 min read

ଭୁବନେଶ୍ୱର : ୧୦ ଦିନ ବିତିଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ଗରିବ ଓ ପ୍ରଭାବଶାଳୀଙ୍କ ପାଇଁ କଣ ଭିନ୍ନ ଆଇନ ? ଏଏସଓଙ୍କୁ ମାଡ ମାରିବା ଘଟଣାରେ ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ  କହିଛନ୍ତି ଯେ, ଦେଶର ବିଶାଳ ଗଣତନ୍ତ୍ର ଓ ଲୋକଙ୍କ ସୁରକ୍ଷା ପାଇଁ ସମ୍ବିଧାନ ରହିଛି । ଯେତେ କ୍ଷମତାଶାଳୀ ଲୋକ ହେଲେ ଵି ଆଇନରୁ ଛାଡ଼ ନାହିଁ । ହେଲେ ଗତ ୭ ତାରିଖରେ ଯେବେ ରାଷ୍ଟ୍ରପତି ପୁରୀରେ ଥିଲେ, ସେଠି ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଯିଏ ଅଣଓଡ଼ିଆ ଝାଡ଼ଖଣ୍ଡବାସୀ, ସିଏ ଓଡ଼ିଶା ସରକାରଙ୍କ ASOଙ୍କୁ ସାଙ୍ଗମାନଙ୍କ ସହ ମାଡ଼ ମାରିବା, ଅସମ୍ମାନ କରିବା, ଚପଲରେ ଛେପ ପକେଇ ଚଟେଇବା, ନିର୍ଯାତନା ଦେଇଥିଲେ ।

ASO ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜିଙ୍କ ପାଖରେ ଗୁହାରୀ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲାନି । ତାଙ୍କୁ ନ୍ୟାୟ ନ ମିଳିବା ଦୁଃଖଦାୟକ, ହୃଦୟବିଦାରକ କଥା । ଏହାଦ୍ବାରା ବିଜେପିର ଓଡ଼ିଆ ଅସ୍ମିତାର ମିଛ ନାଟକର ମୁଖା ଖୋଲିଛି । ଅସ୍ମିତା କଥା କହୁଥିବା ମୁଖ୍ଯମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟାନୁଷ୍ଠାନ ନେଇ ଥାନ୍ତେ । ଏହି ଘଟଣା ଓଡ଼ିଶାକୁ ନିନ୍ଦିତ ଓ ଲଜ୍ଜିତ କରୁଛି । ହେଲେ ରାଜ୍ୟ ସରକାର ନିରବ ରହିବା କ୍ଷମତା ଲୋଭକୁ ଦର୍ଶାଉଛି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ମୋହନ ସରକାର ଓଡ଼ିଆ ଅସ୍ମିତା ରହିବେ ନା ଅଣ ଓଡ଼ିଆ ଜରିଆରେ ଓଡ଼ିଆଙ୍କୁ ଦଳି ଚକଟି ମାରିବେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ନବୀନ ପଟ୍ଟନାୟକ ସରକାର ଦୋଷୀ ବିରୋଧରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସରୋଜ ମେହେର, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ଏହାର ଉଦାହରଣ । ନ୍ୟାୟ ଦେବା ବଦଳରେ ASOଙ୍କୁ ବଦଳି କରାଯାଇଥିବା ବେଳେ ରାଜ୍ୟପାଳଙ୍କ ପୁଅ କଲାର ଟେକି ବୁଲୁଛନ୍ତି । ରାଜ୍ୟପାଳଙ୍କ ପୁଅ ପାଇଁ କଣ ସାତ ଖୁନ ମାଫ ? ASOଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ କହିଛନ୍ତି । ମୁଖ୍ଯମନ୍ତ୍ରୀ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଜଣେ ସାଧାରଣ ଲୋକ ଏପରି କରିଥିଲେ ଗିରଫ ହୋଇଥାନ୍ତା ନା ନାହିଁ ? ଆଇନ ସମସ୍ତଙ୍କ ପାଇଁ ଗୋଟିଏ । ଗିରଫ ନ ହେଲେ ଆଗାମୀ ଦିନରେ ବିଜେଡି ରାଜଭବନ ଆଗରେ ଆନ୍ଦୋଳନ କରି ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଲେଖାଶ୍ରୀ ।