‘ଓଡିଶାକୁ ମିଳୁନି ଆବାସ, ଶୋଇଛନ୍ତି ବିଜେପି ସାଂସଦ’

ଭୁବନେଶ୍ୱର: କେନ୍ଦ୍ର ବିରୋଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଗ୍ରାମୀଣ ଆବାସ ଯୋଜନାରେ କେନ୍ଦ୍ରୀୟ ଅବହେଳା ନେଇ ବିଜେଡିର ପ୍ରେସମିଟରେ ଗର୍ଜିଛି ବିଜେଡ଼ି  । କେନ୍ଦ୍ରର ବୈମାତୃକ ମନୋଭାବର ପୋଲ୍ ଖୋଲିବା ସହ ରାଜ୍ୟ ବିଜେପି ସାଂସଦଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଗ୍ରାମୀଣ ଆବାସ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ବାରମ୍ବାର ପୁରସ୍କୃତ କରିଛନ୍ତି । ହେଲେ ବିଡମ୍ବନାର କଥା ଯେ, ରାଜ୍ୟବାସୀ ନିଜର ମୌଳିକ ଅଧିକାର ପାଇବାରେ ବିଫଳ ହୋଇଛନ୍ତି ।

୬ଲକ୍ଷ ୬୫ହଜାର ଆବାସ ପାଇଁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ଯେଉଁଥିରେ କେବିକେ ଜିଲ୍ଲାର ସିଂହଭାଗ ହିତାଧିକାରୀ ଅଛନ୍ତି । ବାତ୍ୟା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ୧ ଲକ୍ଷ ୮୪ ହଜାର ଘର ମଧ୍ୟ ତାଲିକାରେ ରହିଛି । ମାତ୍ର ରାଜ୍ୟର ଦାବିକୁ ଅଣଦେଖା କରିଚାଲିଛି କେନ୍ଦ୍ର । ୨ବର୍ଷ ହେଲା ରାଜ୍ୟକୁ ମିଳୁନି ଆବାସ ଯୋଜନା ଘର । ବିଜେପି ସାଂସଦ ମାନେ ମଧ୍ୟ ରାଜ୍ୟ ସ୍ବାର୍ଥ ପାଇଁ ମୁହଁ ଖୋଲୁନାହାନ୍ତି । ଏପରକି ନିର୍ବାଚନୀ ଇସ୍ତାହାରରେ ସମସ୍ତୁଙ୍କୁ ପକ୍କାଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଦଳ । ମାତ୍ର ତାହା ଏବେ ଧୂଆଁବାଣ ହୋଇଛି ।

ଗତ ୧୩ ତାରିଖରେ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ପାଇଁ ଆବାସ ୱିଣ୍ଡୋ ଆରମ୍ଭ କରାଗଲା । କିନ୍ତୁ ପରିତାପର ବିଷୟ ଯେ ଓଡିଶା ଦାବିକୁ ଜାଣି ମଧ୍ୟ ଶୁଣିଲା ମାହିଁ କେନ୍ଦ୍ର । ଆଜି ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ରାଜ୍ୟବାସୀଙ୍କ ହିତ ପାଇଁ କେନ୍ଦ୍ର ଆବାସ ୱିଣ୍ଡୋ ଖୋଲୁ ବୋଲି ବିଜେଡି ଅନୁରୋଧ କରିଛି । ରାଜ୍ୟ ସ୍ବାର୍ଥ ପାଇଁ ବିଜେପି ସାଂସଦ କୁମ୍ଭକର୍ଣ୍ଣ ନିଦରୁ ଉଠିବାକୁ ପରାମର୍ଶ ଦେଇଛି ବିଜେଡି । ନଚେତ ଓଡ଼ିଶାବାସୀ କେବେ କ୍ଷମା ଦେବେନି ବୋଲି କହିଛି ଦଳ ।

Leave a Reply