ଚାଷୀଙ୍କ ସହ ଖେଳୁଛନ୍ତି କେନ୍ଦ୍ର ସରକାର, କାଲିଠୁ ହେବ ଗଣ ଧାରଣା

1 min read

ଭୁୂବନେଶ୍ୱର:  ବଳକା ଉଷୁନା ଚାଉଳ ନେଇ ପୁଣି ବିଜେପି ବିରୋଧରେ ବର୍ଷିଛି ବିଜେଡି  । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ସୁଲତା ଦେଓ ବିଜେପିକୁ ଟାର୍ଗେଟ କରିଛନ୍ତି  ।  ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ  । ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି ବିଜେପି ନେତା  । ଧାନ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଓଡିଶାକୁ ବିବେଚନା କରାଯାଏ  । ଓଡିଶାରେ ପ୍ରଚୁର ପରିମାଣରେ ଉଷୁନା ଚାଉଳ ଉତ୍ପାଦନ କରାଯାଇଥାଏ  । କେନ୍ଦ୍ର ସରକାର ବଳକା ଚାଉଳ ସଂଘୀୟ ବ୍ୟବସ୍ଥା ଅନୁସାରେ ଉଠାଣ କରିଥାନ୍ତି  । FCI ଜରିଆରେ ଏହି ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ଉଠାଇ ଥାଆନ୍ତି   । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ୟ ରାଜ୍ୟରେ ମଧ୍ୟ ଏହି ବଳକା ଚାଉଳକୁ ପ୍ରଦାନ କତରାଯାଇଥାଏ   । କିନ୍ତୁ କେନ୍ଦ୍ର ସରକାର ଓଡିଶା ସହ ଖେଳୁଛନ୍ତି  । ଓଡିଶାର ଚାଷୀଙ୍କ ସହ ଅନ୍ୟାୟ କରୁଛନ୍ତି  ବୋଲି କହିଛି ବିଜେଡି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ୨୦୨୦ ମସିହାରେ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଛି  । ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ ନିଜର ବ୍ୟବହାର ନିମନ୍ତେ ରଖିଛନ୍ତି  । ମୋଟାମୋଟି ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା କଥା  । ଏବି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ୨ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ, ୫ ଲକ୍ଷ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଉଠାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ  । ଏବଂ ବାକି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ପରବର୍ତ୍ତୀ ସମୟରେ ଉଠାଇବେ ବୋଲି କହିଥିଲେ  । କିନ୍ତୁ ସେଥିରେ ଗୋଚଟିଏ ମଧ୍ୟ କେନ୍ଦ୍ର ସରକାର ପୂରଣ କରି ନାହାଁନ୍ତି  । ଫଳରେ ଏହି ବଳକା ଚାଉଳ ଏବେ କଣ ହେବ ? ଗଛିତ ଥିବା ଚାଉଳର  ଭାଗ୍ୟ ଓ ଭବିଷ୍ୟତ କଣ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡ଼ି  ।

ସେପଟେ ଏହି ଅଭିଯୋଗ ନେଇ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ଠାରୁ ବିଜେଡି ଭୁବନେଶ୍ୱର FCI ଆଗରେ ଦଳ ତରଫରୁ ଗଣ ଧାରଣା ଦିଆଯିବ  । ବିଜେପି ନେତା ମାନେ କେବଳ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି  । ଚାଷୀଙ୍କ ସହ ଖେଳିଥାନ୍ତି  । ଏନେଇ ବିଜେପିର କୌଣସି ସାଂସଦ ମଧ୍ୟ କେନ୍ଦ୍ର ନିକଟରେ ଫେରାଦ ହୋଇନଥିବା ଅଭିଯୋଗ କରିଛି ବିଜେଡି  ।

Leave a Reply