ବିଧାନସଭାରେ ଦିଗଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ବିଜେଡି

ଭୁବନେଶ୍ୱର : ବିଧାନସଭାରେ ବିଧାୟକଙ୍କୁ ଦିଗଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ବିଜେଡି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଏହି କାର୍ଯ୍ଯକ୍ରମ ପାଇଁ ସଚିବ ଏକ ପତ୍ର ଦେଇଛନ୍ତି। ନିବ ନିର୍ବାଚିତ ବିଧାୟକଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ବିଧାନସଭା ପରମ୍ପରା ଭଙ୍ଗ ହେଉଥିବା ବିଜେଡି ଅଭିଯୋଗ କରିଛି।

ଦଳୀୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି ଯେ, ପରମ୍ପରା ଅନୁସାରେ ମୁଖ୍ଯମନ୍ତ୍ରୀ କିମ୍ବା ବାଚସ୍ପତି ଏହି କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀ ଅତିଥି ହେବା କଥା। କିନ୍ତୁ ପତ୍ର ଅନୁସାରେ ଗୃହର ସଦସ୍ୟ ନଥିଲେ ଵି ଧର୍ମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି।

ସେହିପରି ଗୃହର ସଦସ୍ଯ ନଥିବା ସତ୍ତ୍ବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏହା ବାଚସ୍ପତିଙ୍କ ପଦ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ବିଜେଡି କହିଛି। ପରମ୍ପରା ଭଙ୍ଗ ହେଲେ ବିଜେଡି ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଦୂରେଇ ରହିବେ ବୋଲି ବରିଷ୍ଠ ନେତା ପ୍ରତାପ ଦେବ ଓ ଗଣେଶ୍ବର ବେହେରା କହିଛନ୍ତି। ସେହିଭଳି ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ବିଜେଡି ଅଭିଯୋଗ କରିଛି।