ରାଜ୍ୟରେ ଦରବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି
1 min read
ଭୁବନେଶ୍ୱର: ରାଜ୍ୟରେ ଦରବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା ବିଜେଡି । ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଆବାହକ ସଞ୍ଜୟ ଦାସ ବର୍ମା କହିଛନ୍ତି, ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ କରିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନର ରକ୍ଷା କରାଯିବ। ଆସନ୍ତା ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଦଳ ଆନ୍ଦୋଳନକୁ ଓହ୍ଲାଇବ । ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ। ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ। ସରକାର ଗଠନର ୬ ମାସରେ ଦରଦାମ ବଢ଼ି ଆକାଶଛୁଆଁ ହୋଇଛି । ୫୦ ହଜାର ସୁଭଦ୍ରା ଟଙ୍କା, ୩ଶହ ୟୁନିଟ ମାଗଣା ବିଜୁଳି, ୩୧ଶହ ଟଙ୍କା MSP, ଭତ୍ତା ବୃଦ୍ଧି ପ୍ରତିଶୃତିରେ ବିଫଳ ନୂଆ ସରକାର । ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି । ଆଳୁ ୬୦, ଡାଲି ୧୫୦ ଟଙ୍କା । ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି କହି ବର୍ଷିଛନ୍ତି ସଂଜୟ ।
ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ ବିଜେଡି ସଭାପତି ବ୍ଯୋମକେଶ ରାୟ । ସେ କହିଛନ୍ତି, ଅଚ୍ଛେ ଦିନ ଆଣିବା କଥା କହି ସରକାରକୁ ଆସିଥିଲା ବିଜେପି । ହେଲେ ଏହା କେବଳ କଥାରେ ରହି ଯାଇଛି । ମୁଦ୍ରାସ୍ଫୀତି ସାରା ଦେଶରେ ବଢ଼ି ଚାଲିଛି । ଦେଶର ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ, ଓଡ଼ିଶାରେ ମୁଦ୍ରାସ୍ଫୀତି ୭.୩ ପ୍ରତିଶତ ରହିଛି । ଗାଁରେ ଏହା ୮ ପ୍ରତିଶତ ଟପିଲାଣି । ପଡୋଶୀ ରାଜ୍ୟରେ ମୁଦ୍ରାସ୍ଫୀତି ଓଡ଼ିଶାଠାରୁ କମ ରହିଛି । ହେଲେ ହଠାତ ଏହି ଛଅ ମାସରେ କଣ ହେଲା ଯେ ଏହା ଏତେ ବଢିଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ଯୋମକେଶ । ଦର ବୃଦ୍ଧିରେ ଏବେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି । ଏହା ଚିନ୍ତାଜନକ କଥା। ହେଲେ ସରକାର ବେଫିକର ହୋଇ ବସିଛନ୍ତି । ବିଜେଡିରେ ଛାମୁଆ ସଂଗଠନ ଏହା ବିରୋଧରେ ଆନ୍ଦୋଳନ କରି ସରକାରଙ୍କ ନିଦ ଭାଙ୍ଗିବ । ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବ୍ଯୋମକେଶ ।
ସ୍ୱାମୀ ଆୟରେ ଗୃହିଣୀ ଘର ଚଳାଏ । ହେଲେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି । ଡବଲ ଇଂଜିନ ସରକାର ବିକାଶ ନାରା ଦେଇ ସରକାର ଗଢିବାକୁ ସମର୍ଥ ହୋଇଥିଲେ । ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି ବିଜେପି ସରକାର । ଏପରି କହି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।
୨୦୧୪ରୁ ଏନଡିଏ ଆସିବାପରଠାରୁ ଦେଶରେ ଦର ବୃଦ୍ଧି ହୋଇ ଚାଲିଛି । ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଭୀଷଣ କ୍ଷତି ସହୁଛନ୍ତି । ବିନା କଟନି ଛଟନିରେ ଧାନ କିଣିବା ସହ ୩୧ଶହ ଟଙ୍କା MSP ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏପର୍ଯ୍ୟନ୍ତ ଟୋକନ ଆସିନି । ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡି ଆନ୍ଦୋଳନ ଜାରି ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।