ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି : ବିଜେଡି
ଭୁବନେଶ୍ବର : ରାଜଧାନୀ ଛାତି ଉପରେ ଜଘନ୍ୟ ହତ୍ୟାକାଣ୍ଡ । ରସୁଲଗଡ଼ ମର୍ଡରକୁ ନେଇ ବିଜେଡିର ସମାଲୋଚନା । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଭୁବନେଶ୍ବର ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମିଳନୀ ହେଉଛି । ରାଜଧାନୀକୁ ୭ହଜାର ଲୋକ ଆସିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଯେଉଁଠି ସମ୍ମିଳନୀ ହେଉଛି ସେଠୁ ୩ କିଲୋମିଟର ଦୂରରେ ଜଣେ ସଫେଇ କର୍ମଚାରୀ ତଥା ପୋଲିସ ଇନଫରମରଙ୍କୁ ହତ୍ୟା କରାଯାଇଛି । ପୋଲିସ ମିତ୍ର ଯିଏ ବ୍ରାଉନ ସୁଗାର ବ୍ୟାପାର ବନ୍ଦ କରୁଥିଲେ । ଏଭଳି ଜଣେ ସାଧାରଣ ଜନତାଙ୍କୁ ରାଜଧାନୀର ଛାତି ଉପରେ ହତ୍ୟା କରାଯାଇଛି । ବ୍ରାଉନ ସୁଗାର ବେପାରୀଙ୍କୁ ଧରିବାକୁ ଏଓଟିଏଫ ଗଠନ ହୋଇଥିଲା । ହେଲେ ଗତ ୬ ମାସ ହେଲା ତାହା କାମ କରୁନି । ଏହା ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ବହୁ ବ୍ରାଉନ ସୁଗାର ବେପାରୀ ଧରା ପଡୁଥିଲେ । ଏପରି ଘଟଣା କେବେ ହୋଇ ନଥିଲା । ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି । ଆଉ ଅପରାଧୀଙ୍କ ଭୟ ନାହିଁ । ବିପଦ ଜନକ ସ୍ଥିତିରେ ଏହି ସମ୍ମିଳନୀ ହେଉଛି । ସରକାର ଶୋଇଛନ୍ତି । ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଘଟଣାକୁ ନେଇ ନିନ୍ଦା କରିବା ସହ ସେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ଅନ୍ୟପଟେ ଲେନିନ ମହାନ୍ତି କହିଛନ୍ତି, ପୋଲିସ ଥାନା ପାଖରେ ମୁଣ୍ଡ ଗଣ୍ଡି ଅଲଗା ହେଲା । ଆଗରୁ ଏମିତି କେବେ ହେଉ ନଥିଲା । ହେଲେ ପୋଲିସ କେମିତି କହୁଛି ନିଘା ଅଛି ? ପୋଲିସ ଇନଫରମରଙ୍କୁ ସୁରକ୍ଷା ଦେଇ ପାରୁନାହିଁ । ପ୍ରବାସୀ ଭାରତୀୟଙ୍କୁ କି ସୁରକ୍ଷା ଦେବ? ନବୀନ ପଟ୍ଟନାୟକ ଯେଉଁ ସୁରକ୍ଷା ଦେଉଥିଲେ, ତାହା ଆଉ ନାହିଁ । ଏ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଦୃଷ୍ଟି ନାହିଁ । ତାହା ସମ୍ପର୍ଣ୍ଣ ଭୁଷୁଡି ପଡିଛି । ବିଜେପି ନେତାଙ୍କ ଭିତରେ କି କଥା ଅଛି ଯେ ତାଙ୍କ ଉପରେ ଗାଡି ଚଢା ଗଲା । ଆଶ୍ଚର୍ଯ୍ୟ କଥା, ଆଜି ରାତିରେ ପ୍ରଧାନମନ୍ତ୍ରୀ ଆସିବେ । ହେଲେ ରାଜ୍ୟବାସୀ ସୁରକ୍ଷିତ ନୁହଁନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା ହୋଇଛି ? ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ? କି ନାଟକ ଚାଲିଛି? ପ୍ରବାସୀଙ୍କୁ କି ସୁରକ୍ଷା ଦେଉଛ ? ଆଗାମୀ ଦୁଇ ଦିନ ଅତି କମରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନ ହେଉ । ଏ କି ପ୍ରହସନ? ଡ୍ରାମା କରି ଯେଉଁ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ କରୁଛନ୍ତି, ଆଗ ଆଇନ ଶୃଙ୍ଖଳା ପାଇଁ ପଦକ୍ଷେପ ନିଅନ୍ତୁ । ଭୁବନେଶ୍ୱର ଓ ଓଡ଼ିଶାବାସୀ ସୁରକ୍ଷିତ ତ ? ବୋଲି ପ୍ରଶ୍ନ କରିଛନ୍ତି ଲେନିନ ମହାନ୍ତି ।