୨୦୨୪ ପାଇଁ ସଜବାଜ: ୯ଜିଲ୍ଲାର ୮ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଫେସ୍‌ ଟୁ ଫେସ୍ ଆଲୋଚନା

ଭୁବନେଶ୍ୱର: ୨୦୨୪ ପାଇଁ ବିଜେଡିର ସଜବାଜ । ଆଗୁଆ ଆରମ୍ଭ ହେଲାଣି ସଂଗଠନ ସଜଡ଼ା କାମ । ତୃଣମୂଳସ୍ତରରେ ଦଳ କିଭଳି ଆହୁରି ସୁସଂଗଠିତ ହେବ ସେ ନେଇ ଆରମ୍ଭ ହୋଇଛି ଯୋଜନା । ଆଜିଠୁ ତିନି ଦିନିଆ ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ବୈଠକ ଆରମ୍ଭ କରି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଉଛନ୍ତି ଗୁରୁମନ୍ତ୍ର । ପ୍ରଥମ ଦିନରେ ୯ ଜିଲ୍ଲାର ୮ ଜଣ ପର୍ଯ୍ୟବେକ୍ଷକଙ୍କୁ ଭେଟି ଫେସ୍ ଟୁ ଫେସ୍ ଆଲୋଚନ କରିଛନ୍ତି ନବୀନ । ଗତ ପଞ୍ଚାୟତ ନିର୍ବାଚନରେ ଜୟ ଓ ପରାଜୟର ବିସ୍ତୃତ ରିପୋର୍ଟ ୧୦ ଦିନ ଭିତରେ ଦାଖଲ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ନବୀନ ନିବାସରେ ପଞ୍ଚାୟତ ନିର୍ବାଚନର ପୋଷ୍ଟମର୍ଟମ । ମୁଖିଆଙ୍କ ଆଗରେ ବିଜୟର କ୍ରୋନୋଲୋଜି ଉପସ୍ଥାପନ କଲେ ପର୍ଯ୍ୟବେକ୍ଷକ । କେମିତି ଜିତିଲ ? କେଉଁଠି ଏବଂ କାହିଁକି ହାରିଲ ? ଦଳୀୟ ନେତାଙ୍କ ଭିତରେ ତାଳମେଳ ରହୁଛି ନା ନାହିଁ ? କେମିତି ଚାଲିଛି ମାଇକ୍ରୋ ଲେବୁଲ ମ୍ୟାନେଜମେଣ୍ଟ ? ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍ କରି ଏଭଳି ପ୍ରଶ୍ନ ପଚାରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ବର୍ଷ ପରେ ମୁଖିଆଙ୍କ ସହ ହେଲା ସିଧାସଳଖ ଆଲୋଚନା । କାରଣ ଦଳ ପାଇଁ ଗତ ପଞ୍ଚାୟତ ଓ ପୌର ନିର୍ବାଚନର ବିଜୟଠାରୁ ଅଧିକ ଗୁରୁତ୍ୱ ବହନ କରୁଛି କାଁଭାଁ ପରାଜୟର କାରଣ ଖୋଜା । ଛୋଟମୋଟ ଦଳୀୟ ଅସନ୍ତୋଷ କିଛି କିଛି ସ୍ଥାନରେ ଦଳକୁ ପରାଜୟର ସ୍ୱାଦ ଚଖାଇଛି । ଆସନ୍ତା ୧୦ ଦିନ ଭିତରେ ରିପୋର୍ଟ ଦାଖଲ କରି ସମାଧାନର ବାଟ ବାହାର କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଛାଟ ଦେଖାଇଛନ୍ତି ମୁଖିଆ ।

ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ସହ ବିଜେଡି ଆରମ୍ଭ କରିଛି ରୋଡ ଟୁ ୨୦୨୪ ନିର୍ବାଚନ । ପଞ୍ଚାୟତ ଓ ସହରର ବିଭିନ୍ନ ଓ୍ବାର୍ଡରେ ବିଜେଡି ଟିକେଟ ନ ପାଇ ଅସନ୍ତୋଷ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢି ଜିତିଛନ୍ତି । ଏ ସବୁ ପ୍ରାର୍ଥୀଙ୍କ ଶକ୍ତି ଓ ଦଳ ଦେଇଥିବା ପ୍ରାର୍ଥୀଙ୍କ ଦୁର୍ବଳତାକୁ ତୁରନ୍ତ ସମୀକ୍ଷା କରିବାକୁ ନବୀନଙ୍କ ନିର୍ଦ୍ଦେଶ ରହିଛି । ଗୋଟାଏ ସ୍ଥାନରେ ଥିବା ଏକାଧିକ ସାଂଗଠନିକ ନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା ନବୀନଙ୍କ ଫୋକସରେ ରହିଛି । ପ୍ରତି ନିର୍ବାଚନ ବିଜୟରେ ଥାଏ କୋଟି କୋଟି ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଞ୍ଜି । ଦଳୀୟ ନେତାଙ୍କୁ ଲୋକଙ୍କ ଏହି ବିଶ୍ୱାସ ଅତୁଟ ରଖିବାକୁ ଟିପସ୍ ଦେଉଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।