ବାଲିହରଚଣ୍ଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ କଡ଼ା ଭାଷାରେ ନବୀନଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାର ଝିଅଙ୍କୁ ସୁରକ୍ଷା ଦେବାରେ ବିଫଳ । ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସରକାର ଓ ପୋଲିସ ପ୍ରଶାସନର ସ୍ଥାଣୁତା ନେଇ ବର୍ଷିଛନ୍ତି ନବୀନ ।
ନବୀନ କହିଛନ୍ତି, ରାଜ୍ୟରେ ଝିଅ, ବୋହୁ ଓ ମହିଳା ଯେପରି ଭାବେ ଦୁଷ୍କର୍ମର ଶିକାର ହେଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ରାଜଧାନୀରୁ ମାତ୍ର ୫୦ କିଲୋମିଟର ଦୂରରେ ଜଣେ ଝିଅକୁ ଯେଭଳି ଭାବରେ ଗଣଦୁଷ୍କର୍ମ କରାଯାଇଛି, ତାହା ହୃଦୟ ବିଦାରକ । ରାଜ୍ୟରେ ମହିଳାଙ୍କ ଉପରେ ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ବେଳେ ବିଜେପି ନେତାମାନେ ଉଦବେଗ ନାଁରେ କେବଳ ଡ୍ରାମାବାଜି କରି ଚାଲିଛନ୍ତି । ଗୋପାଳପୁର, ବାଲେଶ୍ବର, ବଳଙ୍ଗା ପୀଡ଼ିତା ଏବେ ବି ନ୍ୟାୟ ଅପେକ୍ଷାରେ । ରାଜ୍ୟ ସରକାର ବାରମ୍ବାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବା ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଦାବି କରୁଛନ୍ତି । କିନ୍ତୁ ବାସ୍ତବରେ ତାହା ପ୍ରତିଫଳିତ ହେଉନାହିଁ । ପର୍ଯ୍ୟଟନ ସ୍ଥଳୀରେ ଯଦି ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି, ତେବେ ବିଶ୍ବ ଦରବାରରେ ଏହା ଓଡ଼ିଶାର ପ୍ରତିଛବିକୁ ମଳିନ କରୁଛି ବୋଲି ନବୀନ କହିଛନ୍ତି ।
ସେପଟେ ଗଣଦୁଷ୍କର୍ମ ମାମଲାରେ ମୋଟ ୪ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଆଜି ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ବ୍ରହ୍ମଗିରି ପୋଲିସ । ସମସ୍ତ ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ପୀଡିତାଙ୍କୁ ଘଟଣା ସ୍ଥଳକୁ ନେଇ ସମସ୍ତ ଦିଗକୁ ନେଇ ତଦନ୍ତ କରିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ । ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଥିଲା ।