ଜୁଏଲ ଓରାମଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିୟମ ଉଲ୍ଲଂଘନ କରୁଛନ୍ତି, ବାରଣ କଲେ ଆଇଆଇସିଙ୍କୁ ଧମକ ଦେଉଛନ୍ତି ବିଜେପିର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ। ଏନେଇ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।

ଅଭିଯୋଗ ଅନୁସାରେ ସୁନ୍ଦରଗଡ ବିଲେଇଗଡ଼ରେ ଜୁଏଲ ଓରାମ ଓ ନରସିଂହ ମିଞ୍ଜ ଏକ ସରକାରୀ ସ୍ଥାନରେ ଦଳୀୟ ସଭା କରୁଥିଲେ। ସ୍ଥାନୀୟ ଆଇଆଇସି ଆସି ବାରଣ କରିବାରୁ ଜୁଏଲ ତାଙ୍କୁ ଧମକ ଦେଇଥିଲେ। ବିଜେପି ସାଂସଦ ପ୍ରାର୍ଥୀଙ୍କ ଆଦର୍ଶ ଆଚରଣ ଉଲ୍ଲଂଘନ ବିରୋଧରେ ସାଂସଦ ଡ. ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି।

ବିଜେଡି କହିଛି ଯେ, ୨୦୨୪ ନିର୍ବାଚନରେ ଏକ ବିଚିତ୍ର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଭାରତୀୟ ଜନତା ପାର୍ଟି ଓଡିଶା ଶାଖାର ନେତାମାନେ ବିଭିନ୍ନ ସମୟରେ ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସର ମାନଙ୍କୁ ଧମକାଉଛନ୍ତି। ବିଜେପି ପାଇଁ କାମ ନ କଲେ ବଦଳି ଏବଂ ସସପେଣ୍ଡ କରିଦେବାର ଧମକ ଦେଉଛନ୍ତି। ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ମଧ୍ଯ ଏହି ପନ୍ଥା ଆପଣାଇଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି।