ପଦମପୁରରେ ବିଜେଡିର ପାୱାର ଶୋ

1 min read

ପଦମପୁର: ଆସନ୍ତାକାଲି ପଦମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ । ଏହା ପୂର୍ବରୁ ଆଜି ପଦମପୁରରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଆଉ ଏହି ଶକ୍ତି ପ୍ରଦର୍ଶନ ପ୍ଲାଟ ଫର୍ମରେ ନିଜକୁ ଇଣ୍ଟ୍ରୋଡ୍ୟୁସ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ରାଜନୀତି ମୈଦାନରେ ନୂଆ ହେଲେ ବି ଠାଣି କହୁଥିଲା ଅନୁଭୂତିରେ ଭରପୂର ବ୍ୟକ୍ତିତ୍ବ । ପୂରା ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଛି ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ପଦମପୁର ପଲିଟିକ୍ସରେ ବର୍ଷାଙ୍କ ବିଗ ଏଣ୍ଟ୍ରି । ବିଜେଡିର ଶକ୍ତିଶାଳୀ ସ୍ଲୋଗାନ, ହୁଳହୁଳି, ତାଳିମାଡ ଭିତରେ ନିଜକୁ କରିଛନ୍ତି ଇଣ୍ଟୋଡ୍ୟୁସ । ବାବାଙ୍କ ଲିଗାସି ବଜାୟ ରଖିବାକୁ ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । କାଲି ନାମାଙ୍କନର ଶେଷ ଦିବସ । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା । ବାପାଙ୍କୁ ମନେ ପକାଇ ନିଜେ ଲୁହରେ ଭିଜିବା ସହ ଭୋଟରଙ୍କୁ ବି କରିଛନ୍ତି ଭାବପ୍ରବଣ । ମଞ୍ଚରୁ ଦଳୀୟ ହେଭିୱେଟଙ୍କ ଉପସ୍ଥିତିରେ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ସଂପର୍କକୁ ଆହୁରି ଆଗକୁ ନେବାକୁ ମଞ୍ଚରୁ ଓହ୍ଲାଇ ଆସି ଭାବର ଆଦାନ ପ୍ରଦାନ କରିଛନ୍ତି । ଗୁରୁଜନଙ୍କୁ ମୁଣ୍ଡିଆ ମାରିଛନ୍ତି । ସାନମାନଙ୍କୁ ସ୍ନେହ ଦେବା ସହ ଯୁବପିଢିଙ୍କ ସହ ସେଲଫି  ଉଠାଇଛନ୍ତି । ପାଇକମାଳ ସାଲେପାଲିରେ ଆୟୋଜିତ ବିଜେଡି ସମାବେଶରେ ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ଆକର୍ଷଣ ।

ବର୍ଷାଙ୍କୁ ସାମ୍ନାକୁ ଆଣିବା ସହ ବିଜେଡି ଆଜି ପଦମପୁର ଦୁଲୁକେଇ ଦେଇଛି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କରିଛି ବିଶାଳ ଜନସମାବେଶ । ବଳ ଗୋଟାଇବା ପାଇଁ କରିଛି ପାୱାର ପ୍ଲେ । ପ୍ରଚାର କରିବାକୁ ଯାଇ କରିଛି ମାରାଥନ ମିଟିଂ । ସତିଭଟାରେ ଆୟୋଜିତ ସମ୍ମିଳନୀରେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଅଂଚଳର ୫ଜଣ ୱାର୍ଡ ମେମ୍ବର ବିଜେପି ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି । ବିଜେପିର ଚାଷୀ କାର୍ଡ ଚାଲ ବୁଝିପାରି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ପାଇଁ ବିଜେଡିକୁ ପଦମପୁରରେ ବିପୁଳ ଭୋଟ ମିଳିବ ବୋଲି କହିଛନ୍ତି ବିଧାୟକ ଦେବୀ ମିଶ୍ର ।

ପାଇକମାଳ ବ୍ଲକରେ ବିଜେଡିର ଜୋରଦାର୍ ପ୍ରଚାର । ବଡତୁଣ୍ଡା ଗାଁ ଏକ ନମ୍ବର ଜୋନରେ ବିଜେଡି କରିଛି ବିରାଟ କର୍ମୀ ସମାବେଶ । ଦଳର ବରିଷ୍ଠ ମନ୍ତ୍ରୀଙ୍କ ସହ ବହୁ ବିଧାୟକଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ସଂପର୍କରେ ବୁଝାଇଥିଲେ । ସମାବେଶରେ ସ୍ଥାନୀୟ ଅଞ୍ଚଳରୁ ୫ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ I ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଇନପୁଟ ସବସିଡି ଘୋଷଣା କରିବା ପରେ ଚାଷୀ କୂଳରେ ମଧ୍ୟ ଉତ୍ସାହ ଦେଖାଦେଇଛି I

ବର୍ଷାଙ୍କ ଏଣ୍ଟ୍ରିକୁ ସାରା ପଦମପୁର ଉତ୍ସାହର ସହ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ସବୁ ସଭାରେ ଲୋକଙ୍କ ସମାଗମ ଓ ସମର୍ଥନ ଏହା ପ୍ରମାଣିତ କରିଛି ଭରସା ଓ ବିଶ୍ବାସର ନାଁ ବିଜେଡି ।

ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲେ ବି, ଏପର୍ଯ୍ୟନ୍ତ ୩ ଦଳର ପ୍ରାର୍ଥୀ କେହି ବି ନାମାଙ୍କନ ଭରିନାହାନ୍ତି । କିନ୍ତୁ ପ୍ରଚାର ରଣନୀତିରେ ସବୁଠୁ ଆଗରେ ରହିଛି ଶଙ୍ଖ ଦଳ ।