ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ ଏବଂ ଜୋରଦାର ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ଦୃଢକଣ୍ଠରେ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଜି ବିଜୁ ଜନତା ଦଳର ପୋଲାଭରମ ଟିମ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ଏହା କହିଛନ୍ତି ନବୀନ ପଟ୍ଟନାୟକ ।

ନିର୍ମାଣାଧୀନ ପ୍ରକଳ୍ପର ଓଡିଶା ପଟର ବାସ୍ତବ ସ୍ଥିତି ସଂପର୍କରେ ନବୀନଙ୍କୁ ଅବଗତ କରାଇଛି ବିଜେଡିର ପୋଲାଭରମ ଟିମ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବିକା ଉଜୁଡି ଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ରିପୋର୍ଟ ଦେଇଛନ୍ତି ।

ରିପୋର୍ଟ ପାଇଲା ପରେ ପ୍ରକଳ୍ପକୁ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନସଭା ତଥା ପଞ୍ଚାୟତସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ନବୀନ ଆହ୍ବାନ ଦେଇଛନ୍ତି । ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ନବୀନ କହିଛନ୍ତି । ଏହି ଅବସରରେ ପୋଲାଭରମ ଟିମର ଅଧ୍ଯକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।