ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା୬ରେ ବିଜେଡିର ବିକ୍ଷୋଭ
ଭୁବନେଶ୍ବର: ରାଜ୍ୟରେ ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହା ଓଡ଼ିଶାର ସାଧାରଣ ଜନତାଙ୍କ ଉପରେ ବୋଝ ପଡ଼ିଛି । ରାଜ୍ୟରେ ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ ତାରିଖରେ ଭୁବନେଶ୍ଵରରେ ବିଜୁ ଜନତା ଦଳ ବିକ୍ଷୋଭ କରାଯିବ । ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ କରାଯିବ । ସାମ୍ଵାଦିକ ସମ୍ମିଳନୀରେ ଏନେଇ
ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଦରଦାମ୍ ବୃଦ୍ଧି ନେଇ ସାମ୍ଵାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ଡବଲ ଇଞ୍ଜିନ ସରକାର ଆସିବା ପରେ ଦରଦାମ୍ ହୁ ହୁ ହୋଇ ବଢୁଛି । ଏଥିରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି । ଓଡ଼ିଶାବାସୀଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ବିଜେଡି ଲଢ଼ିବ । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ଥିବା ବେଳେ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟଦାସ ବର୍ମା ।
ଦରଦାମ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରୋଷେଇ ଘରକୁ ସରକାର ଗୋଇଠା ମାରିଛନ୍ତି । ମହିଳା ରୋଷେଇ ଘରକୁ ଗଲେ ଡବଲ ଇଞ୍ଜିନ ସରକାର କଥା ମନେପକାଉଛି । ସାଧାରଣ ଲୋକଙ୍କୁ ସରକାର ଶୋଷଣ କରୁଛନ୍ତି । ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦିଅନ୍ତି । ହେଲେ ଡବଲ ଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତି ନିଘାନାହିଁ । ଯଦି ସରକାର ଏହାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଜିଲ୍ଲା ସ୍ତରରେ ଆନ୍ଦୋଳନ ହେବ ।
ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ନିର୍ବାଚନ ସମୟରେ ବିଜେପି ଯାହା କହିଥିଲା ତାହାକୁ ରକ୍ଷା କରୁ । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରକୁ ଆସିଥିଲା । ଦରଦାମକୁ ନିୟନ୍ତ୍ରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପେଟ୍ରୋଲ ଓ ଡିଜେଲ ଭାଟ କମାନ୍ତୁ । ଦରଦାମ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ । ୫୦ ବର୍ଷ ଭିତରେ ଲୋକଙ୍କ ସଞ୍ଚୟ କମ୍ ହୋଇଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ । ଏହା ବିରୋଧରେ ବିଜେଡି ଜୋରଦାର ଆନ୍ଦୋଳନ କରିବ ।