ଶେଷ ହୋଇଛି ବିଜେଡି ସଂସଦୀୟ ଦଳ ବୈଠକ, ସଂସଦରେ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ

1 min read

ଭୁବନେଶ୍ୱର: ଶେଷ ହୋଇଛି ବିଜେଡିର ସଂସଦୀୟ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ବୈଠକ । ବୈଠକ ପରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା । ଅଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ଅବଗତ କଲେ ମୁଖ୍ୟମନ୍ତ୍ରୀ । ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ଅବଗତ କରିଥିବା କହିଛନ୍ତି ସସ୍ମିତ ପାତ୍ର ।

ସେହିପରି ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୩୦୦ଟି ଷ୍ଟପେଜ ବନ୍ଦ କରିଛି ରେଳ ବିଭାଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ । କୋଲ ରୟାଲଟି, 33 ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ, କୋଶଳୀ ଏବଂ ହୋ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯିବା ଭଳି ଦାବିକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, କୃଷି ଆଇନରେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବା , ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ଭଳି ଦାବି ଉଠେଇବ ଦଳ । ଏହା ସହ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେ କୌଣସି ପ୍ରସଙ୍ଗ ଆସିବ ବିଜେଡ଼ି ତାହାକୁ ଗୃହରେ ଉପସ୍ଥାପନ କରିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

Leave a Reply