ନବୀନ ଦେଲେ ଗୁରୁମନ୍ତ୍ର, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଭୁବନେଶ୍ବର: ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି । ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ । ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି ।

ବୈଠକରେ ସଂସଦରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ଲଢେଇ କରିବ । ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ଯ ଗୃହରେ ଉଠାଇବ ଦଳ । ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।