ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ସଂସଦରେ ସ୍ୱର ଶାଣିତ କର

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଅବହେଳା କରିଆସୁଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ପାଇଁ ଗୃହରେ ସ୍ୱରକୁ ତେଜିଆନ୍ କରନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମ ସାଂସଦମାନେ ମିଳିତ ଭାବେ ସ୍ୱର ଉତ୍ତଳନ କରନ୍ତୁ । ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ନେଇ ଗତ ମେ ୩୦ରେ ମୁଁ ଏକ ବୈଠକରେ ଏକାଠି ହୋଇଥିଲି । ଏବେ ଏ ପ୍ରସଙ୍ଗଗୁଡିକୁ ଆପଣମାନେ ସଂସଦର ଆଗାମୀ ଅଧିବେଶନରେ ଦୃଢତାର ସହ ଉଠାନ୍ତୁ । ଧାର୍ଯ୍ୟ ସମୟସୀମାରେ ଓଡିଶା କିଭଳି ତାର ନାର୍ଯ୍ୟ ହକ୍ ପାଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ନବୀନ କହିଛନ୍ତି । ରାଜ୍ୟରେ ପଡିରହିଥିବା ଅତିରିକ୍ତ ୫ ଲକ୍ଷ ମେଟ୍ରିକ ବଳକା ଚାଉଳ ଉଠାଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ୧.୮୪ ଲକ୍ଷ ଘର ଯୋଗାଣ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ସ୍ଲାବରୁ ବାଦ୍ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେଡି ଏମପି ମାନେ ବେସ୍ ଗମ୍ଭୀରତାର ସହ ଏ ପ୍ରସଙ୍ଗକୁ ଉଭୟ ଗୃହରେ ଉଠାନ୍ତୁ । ସାଂସଦମାନଙ୍କୁ ନବୀନ କହିଲେ ରାଜ୍ୟରେ ପଡ଼ିରହିଥିବା ରେଳବାଇ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ପାଇଁ ସ୍ୱମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷଣ ଏବଂ ଓଡିଶା ବିଧାନ ପରିଷଦ ଗଠନ ଭଳି ପୂରଣା ଦାବିଗୁଡିକୁ ବିଜେଡି ସାଂସଦମାନେ ଗୃହରେ ଜୋରଦାର କରନ୍ତୁ ।

ରେଳ ବାଇ, ବ୍ୟାଙ୍କିଂ, ଟେଲି ସାନ୍ଦ୍ରତା, କୋଇଲା ରୟାଲିଟି, ସ୍ୱଚ୍ଛ ଶକ୍ତି ସେସ୍, ଉପକୂଳ ରାଜପଥ ନିର୍ମାଣ ଭଲି ପ୍ରସଙ୍ଗରେ କେନ୍ଦ୍ର ଓଡିଶାକୁ କ୍ରମାଗତ ଭାବେ ଅବହେଳା କରିଆସିଛି । ତେଣୁ ଆମ ସାଂସଦମାନେ ଏହାକୁ ଦୃଢ ସ୍ୱରରେ ସଂସଦରେ ଉଠାଇବାର ଆବଶ୍ୟକତା ରହିଛି । ଏହାଛଡା ମୁଖ୍ୟମନ୍ତ୍ରୀ କହିଲେ ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଓଡିଶାବାସୀ ଓ ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇବାକୁ ନବୀନ ଉଭୟ ଲୋକସଭା ଓ ରାଜ୍ୟସଭାର ଦଳୀୟ ସାଂସଦମାନଙ୍କୁ ଅପିଲ କରିଛନ୍ତି ।