କାଲିଠୁ ବିଜେଡି ପଦଯାତ୍ରା: ଘରକୁ ଘର ବୁଲି ସୃଷ୍ଟି କରାଯିବ ସଚେତନତା

ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ। ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି। ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା। ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ମସୁଧା। ସମସ୍ୟାରେ ଜର୍ଜରିତ ହେଲେଣି ଚାଷୀ, ଯୁବକ ଓ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ପରି ଅନେକ ପ୍ରସଙ୍ଗରେ ଛନ୍ଦି ହେଲେଣି ସରକାର । ଏହା ବିରୋଧରେ ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ। ସେହିପରି ନବୀନ ସରକାରଙ୍କ ସମୟର ସଫଳତା ନେଇ ବି ଲୋକଙ୍କ ପାଖକୁ ଯିବ ବିଜେଡି। ଏଥିପାଇଁ ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ପଦଯାତ୍ରା ଆରମ୍ଭ କରିବ ବିଜେଡି। କାଲି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଥିବାରୁ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଏପାସରେ ଥିବା ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଚାଲିବ ପଦଯାତ୍ରା। ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ।
ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ବି ସରକାରଙ୍କୁ ଘେରିବ। ଭୋଟ ଚୋରି ଓ ଚାକିରି ବିକ୍ରି ବିରୋଧରେ କଂଗ୍ରେସ କରିବ ପ୍ରତିବାଦ ସମାବେଶ। ବିଜେପି ସରକାର ବିରୋଧରେ ଯୁବ କଂଗ୍ରେସ ଦେବ ରଣହୁଙ୍କାର । ଓଡ଼ିଶାରେ ବି ଭୋଟ ଚୋରି ହୋଇଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି କଂଗ୍ରେସ। ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ଯୁବ କଂଗ୍ରେସ । ସେହିପରି ଚାକିରି ବିକ୍ରି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିବାକୁ ସଜବାଜ ହେଉଛି କଂଗ୍ରେସ। ସେପଟେ ବିରୋଧୀଙ୍କ ପ୍ରତିବାଦର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ବିଜେପି। ସରକାରଙ୍କ ତୃଟିକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଏହାସାଙ୍ଗକୁ ଜନମତ ସୃଷ୍ଟି କରିବାକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ।