୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର ୨୭ ତାରିଖରୁ ୨୬ ଫେବ୍ରୁଆରୀ ୨୦୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଦଳର ସାଙ୍ଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ବିଜେଡି ସଭାପିତ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି କରିବା ପରେ ଶ୍ରୀ ଦେବ ୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତ କରିଛନ୍ତି ।ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବର ୨୦୧୯ରୁ ୧୩ ଜାନୁଆରୀ ୨୦୨୦ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ, ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୪ ଜାନୁଆରୀ ୨୦୨୦ରୁ ଆରମ୍ଭ ହୋଇ ୨୯ ଜାନୁଆରୀ ୨୦୨୦ରେ ଶେଷ ହେବ । ଏଥିରେ ବ୍ଲକ ସଭାପତି ସହିତ ବ୍ଲକ କମିଟି ସଭ୍ୟ, ଏନ୍ଏସି ସଭାପତି ସହିତ ଏନ୍ଏସି କମିଟି ସଭ୍ୟ, ମ୍ୟୁନିଲିପାଲିଟି ସଭାପତି, ସଭ୍ୟ ଓ ମହାନଗର ନିଗମ ସଭାପତି, ନଗର କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ ।ତୃତୀୟ ପର୍ଯ୍ୟାୟ ୩୦ ଜାନୁଆରୀ ୨୦୨୦ରୁ ୧୫ ଫେବ୍ରୁଆରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ୧୬ ଫେବ୍ରୁଆରୀ ୨୦୨୦ରୁ ୧୮ ଫେବ୍ରୁଆରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ପରିଷଦ ସଭ୍ୟପଦ ପାଇଁ ନିର୍ବାଚନ ହେବ । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ୨୩ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୬ ଫେବ୍ରୁଆରୀରେ ଶେଷ ହେବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରେସମିଟରେ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି ।

Leave a Reply