ଚତୁର୍ଥ ପର୍ଯ୍ୟାୟକୁ ଗଲା ପ୍ରକ୍ରିୟା, ଖୁବଶୀଘ୍ର ବିଜେଡି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ନିର୍ବାଚନ
1 min read
ନନ୍ଦିଘୋଷ ବ୍ୟୁରୋ : ବିଜୁ ଜନତା ଦଳର ନବକଳେବର ହେବାକୁ ଯାଉଛି । କିଛି ମାସ ତଳେ ଦଳର ଛାମୁଆ ସଂଗଠନ ଗୁଡ଼ିକୁ ଭାଙ୍ଗି ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇଥିଲା ବିଜୁ ଜନତା ଦଳ । ଚଳିତ ଏପ୍ରିଲ ମାସ ଶେଷ ସୁଦ୍ଧା ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଚାଲିଥିବା କସରତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ୩୩ ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଏଆରଓମାନଙ୍କ ତାଲିକା ସହ ଫୋନ ନମ୍ବର ଓ ଠିକଣା ସହ ପୌର ଓ ପଞ୍ଚାୟତ ୱାର୍ଡ ସଭାପତି, ବ୍ଳକ ସଭାପତି ମାନଙ୍କ ଫୋନ ନମ୍ବର ଏବଂ ଠିକଣା ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ପାଖରେ ଦାଖଲ କରିଥିଲେ । ଆଜି ଏ ସବୁ ନେଇ ପ୍ରସ୍ତୁତିର ଚୂଡ଼ାନ୍ତ ରିପୋର୍ଟ ବିଜେଡି ସୁପ୍ରିମୋଙ୍କୁ ପାଖରେ ସେ ଦାଖଲ କରିଛନ୍ତି । ଏଥିସହ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ଫିଡବ୍ୟାକ ବି ନିଆଯାଇଥିଲା । ସାଂଗଠନିକ ନିର୍ବାଚନର ୬ଟି ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟକୁ ଯାଇଛି ପ୍ରକ୍ରିୟା । ଖୁବଶୀଘ୍ର ଜିଲ୍ଲା ସଭାପତି ଚୟନ କାର୍ଯ୍ୟ ସମାପ୍ତ ହେବ । ଏହା ପରେ ୫ମ ପର୍ଯ୍ୟାୟରେ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଦଳର ସଭାପତି ନିର୍ବାଚନ କାର୍ଯ୍ୟ ସଂପୂର୍ଣ୍ଣ ହେବ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ପୁଣି ଥରେ ଆଗେଇବାକୁ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି ।
ଏହି ନିର୍ବାଚନ ପ୍ରକ୍ରିୟାରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ଦଳର ଯୁବ, ଛାତ୍ର, ମହିଳା ଓ ସାଧାରଣ ଛାମୁଆଁ ସଂଗଠନର ସଦସ୍ୟମାନେ ସକ୍ରିୟ ଭାବେ ଭାଗ ନେଉଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ ଓ ସହରାଞ୍ଚଳର ୱାର୍ଡ ଏବଂ ସହରାଞ୍ଚଳ ସଭାପତି ଓ ସମସ୍ତ କମିଟି ଗଠନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ଜିଲ୍ଲା ସଭାପତି ଓ ବ୍ଲକ ସଭାପତି ଚୟନ ନେଇ ବି ନବୀନ କରିଛନ୍ତି ସମୀକ୍ଷା । କେମିତି ଚାଲିଛି ଚୟନ ଓ କେଉଁଠି ରହୁଛି ଅସୁବିଧା, ତାହା ସମସ୍ତଙ୍କଠାରୁ ସେ ଟିକିନିଖି ବୁଝିଛନ୍ତି । ବିଜେଡିର ସାଂଗଠନିକ ନିର୍ବାଚନରେ ଦଳର ବାଇ-ଲ’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ନୂଆ ପଦ ସୃଷ୍ଟି ହେଉ କି କାହାକୁ ପଦୋନ୍ନତି, ତାହା ନେତାଙ୍କ ପ୍ରଦର୍ଶନ ଓ ଗ୍ରହଣୀୟତା ଉପରେ ନିର୍ଭର କରେ ।