ନିର୍ବାଚନ ପ୍ରତିଶ୍ରୁତିକୁ ନୂଆ ରୂପରେ ବଜେଟ୍‌ରେ ପରସିଦେଲା ବିଜେପି: ପ୍ରଣବ କହିଲେ, ଲୋକେ ବୁଝିବେ

1 min read

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବର୍ଷ ପାଇଁ ଆଗତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୨୦୧୪ରେ ଭାରତୀୟ ଜନତା ପାର୍ଟି ନିଜ ପ୍ରଚାର ପତ୍ରରେ ୨ କୋଟି ରୋଜଗାର ସୃଷ୍ଟି କରିବ ବୋଲି ପ୍ରତିଜ୍ଞା କରିଥିଲା । ଏହି ପ୍ରତିଜ୍ଞା ପାଣିରେ ଗାରରେ ପରିଣତ ହେଲା । ଚଳିତ ବଜେଟରେ କହୁଛନ୍ତି ୫ ବର୍ଷରେ ୬୦ ଲକ୍ଷ ନୂଆ ଚାକିରି ଦେବେ । ଯୁବପିଢ଼ି ବୁଝିବେ ବୋଲି କହିଛନ୍ତି ପ୍ରଣବ ।

ଅନ୍ୟପକ୍ଷରେ ଏଲ୍‌.ପି.ଜିରେ ମିଳୁଥିବା ରିହାତିକୁ ହ୍ରାସ କରାଯାଉଥିବା ବେଳେ ଏହାକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଣବ । କଟାକ୍ଷ କରି ସେ କହିଛନ୍ତି ଯେ, ମାଆମାନଙ୍କ ମଙ୍ଗଳ ପାଇଁ ବୋଧେ ଏଲ.ପି.ଜି ଦର ଦିନକୁ ଦିନ ବଢୁଛି । ୨୦୨୨ ବଜେଟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ମିଳୁଥିବା ସବ୍‌ସିଡି କମ୍ କରିଦିଆଯାଇଛି, ଯାହା ଏଲ୍‌ପିଜିର ଦାମକୁ ଆହୁରି ବଢାଇବ । ଯାହାକୁ ମାଆ ମାନେ ଆଗକୁ ବୁଝିବେ ବୋଲି କହିଛନ୍ତି ପ୍ରଣବ ।

ଏହା ସହିତ ଶସ୍ୟ ସଂଗ୍ରହ ପ୍ରସଂଗରେ ବିଜେପିର ପ୍ରତିଶ୍ରୁତିକୁ ମଧ୍ୟ ମନେପକାଇ ଦେଇଛନ୍ତି ପ୍ରଣବ । ୨୦୧୪ରେ ବିଜେପି ନିଜ ପ୍ରଚାର ପତ୍ରରେ କହିଥିଲେ କି ସବୁ ଧାନ ଏଫ୍‌ସିଆଇ କିଣିବ । ଚାଷୀମାନେ ଏମଏସ୍‌ପି ମାଧ୍ୟମରେରେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇବେ । ହେଲେ ୨୦୨୨ ବଜେଟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରହିତାକୁ ବହୁତ କମେଇ ଦେଲେ । ଚାଷୀ ମାନେ ବୁଝିବେ ବୋଲି କହିଛନ୍ତି ପ୍ରଣବ । ଆଜି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଟୁଇଟ କରି ଏଭଳି ସମାଲୋଚନା କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ: ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବ୍ୟୟବରାଦ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ

Leave a Reply