ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡ଼ିଶା, କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର: ପ୍ରଣବ

ନବରଙ୍ଗପୁର: ବିଜେଡି ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । କହିଲେ, ଭାଷଣରେ ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡିଶା । କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର । ଭାତ ହାଣ୍ଡିରେ ଆସି ମାଡ଼ ପଡ଼ିଲାଣି । ଏଭଳି ସରକାର ବିରୋଧରେ ନବରଙ୍ଗପୁରର ଉପାନ୍ତ ରାୟଘରରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ଯାଏଁ ଆନ୍ଦୋଳନ ହେବ ଚେତାଇ ଦେଇଛନ୍ତି ପ୍ରଣବ ।

ଶନିବାର ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆହୁରି କହିଛନ୍ତି, ବିଜେଡି ଏକମାତ୍ର ଦଳ ଯିଏ ସମସ୍ତଙ୍କୁ ଆଦର କରେ ଆଉ ସମ୍ମାନ ଦିଏ । ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଷୋଷଣର ସରକାର । ୧୯୯୯ ମହାବାତ୍ୟା ଆଉ ଏବେର ଓଡିଶାକୁ ଦେଖିଲେ ସ୍ପଷ୍ଟ ଜଣାଡୁଛି । ଯେଉଁ ଜାହାଜରେ ଦିନେ ରାଜ୍ୟବାସୀଙ୍କ ପାଇଁ ଚିରା ଲୁଗା ଆସୁଥିଲା ସେହି ଜାହାଜରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯାଉଛି । କାଳିଆ, ମମତା ଭଳି ରାଜ୍ୟର ଯୋଜନାକୁ କେନ୍ଦ୍ର ଅନୁକରଣ କରୁଛି । ଖୁବଶୀଘ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅନୁକରଣ କରିବ କେନ୍ଦ୍ର । ଏକମାତ୍ର ବିଜେଡି ହିଁ ଲୋକଙ୍କୁ ସଶକ୍ତ କରୁଛି । କେବଳ ଭାଷଣରେ ବିଶ୍ବାସ କରୁଥିବା ଦଳ ନୁହେଁ ବିଜେଡି । ଚାଷୀଙ୍କ କଷ୍ଟ ଉପାର୍ଜିତ ଚାଉଳ ଉଠାଉନାହିଁ କେନ୍ଦ୍ର । ଚାଷୀଙ୍କୁ ଦେଶରୁ ସଫା କରିଦେବାକୁ ବସିଲେଣି । ଗତ ଦେଢ ବର୍ଷ ହେଲା ଦିଲ୍ଲୀରେ ଯାହା ଚାଲିଛି ତାହା ସାରା ଦେଶ ଦେଖୁଛି । ସମୟ ଆସିଛି ଏବେ ବିଜେପି ନେତାଙ୍କୁ ଭୋଟ ନେଇଛ ହକ ଫେରାଅ ବୋଲି ଦାବି ହେଉ । କେବଳ ବଡ ବଡ ଭାଷଣ ଦେଇଦେଲେ ହେବନି ବୋଲି କହିଛନ୍ତି ପ୍ରଣବ ।

ସାର କାହାର ଦାୟିତ୍ବ । କାହିଁକି ଚାଷୀଙ୍କୁ ସାର ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପିକୁ କେବଳ କ୍ଷମତା ଦରକାର । କ୍ଷମତା ମିଳିଲେ ବିମାନବନ୍ଦର ବିକି ଦେବେ, ଏୟାର ଇଣ୍ଡିଆ ବିକ୍ରି ହେବ, ନାଲକୋ ବି ବିକ୍ରି ହୋଇଯିବ । ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ହେଉଛି କଥା କମ କାମ ବେଶି । ବିଜେପିର ଆଭିମୁଖ୍ୟ କାମ ନାହିଁ, ଭାଷଣ ବେଶି । ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ନିଜ ମାଲିକ ଓ ପରିବାର ବୋଲି ଭାବନ୍ତି ନବୀନ । ବିଜେପିଙ୍କୁ କଡା ସମାଲୋଚନା କରି ସେ କହିଛନ୍ତି ଯେ, ଲୋକଙ୍କ ହୃଦୟରେ ରହୁଥିବା ଲୋକଙ୍କୁ ବାସନ୍ଦ କରିବାର ଧମକ ଦେଉଛନ୍ତି ବିରୋଧୀ । କେବଳ ଶୁଖିଲା ଭାଷଣର ଦଳ ହେଉଛି ବିଜେପି । କେବଳ ଟ୍ବିଟ କରି ବାହାବା ନେବା ହିଁ ଏକମାତ୍ର ଲକ୍ଷ୍ୟ । କେନ୍ଦ୍ରୀୟ ସହଯୋଗ ପ୍ରସଙ୍ଗରେ ପ୍ରଣବ କହିଛନ୍ତି ଯେ, ଆମ ପଇସା ଆମକୁ ଦେଉଛ, କିଛି ଦାନ କରୁନ ।

ଏଥିସହିତ ପଢ଼ନ୍ତୁ: ‘ପୀଡ଼ିତାଙ୍କ ପାଇଁ ନାହିଁ ଦୟା କି ସହାନୁଭୂତି, ନିର୍ବାଚନ ଆସିଲେ ବିଜେପିକୁ ମନେ ପଡ଼ନ୍ତି’: ବିଜେଡି

 

Leave a Reply