ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରି ଅଫିସରଙ୍କ କ୍ଷମତା ବୃଦ୍ଧିକୁ ବିରୋଧ

ଭୁବନେଶ୍ବର : ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି ସରକାର । ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ ଗଣତାନ୍ତ୍ରିକ କ୍ଷମତାକୁ ସଙ୍କୁଚିତ କରିଛନ୍ତି ରାଜ୍ୟ ସରକାର। ବିଜେପି ସରକାର ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ହ୍ରାସ କରି ଅଫିସରଙ୍କ କ୍ଷମତା ବୃଦ୍ଧି କରିଛନ୍ତି । ଏହାର ପ୍ରତିବାଦରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଧାନସଭାରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଗର୍ଜନ କରିଛି ବିଜେଡି। ବିଜେଡି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ସହ ରାଜ୍ୟ ସରକାର ତୁରନ୍ତ ପଞ୍ଚାଯତ ପ୍ରତିନିଧିଙ୍କ କ୍ଷମତାକୁ ଫେରାଇ ଦିଅନ୍ତୁ ବୋଲି ଦଳ ଦାବି କରିଛି। ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି। ଅଧିକାଂଶ ପଞ୍ଚାୟତ ଦଖଲ କରିଛି। ତେଣୁ ବିଜେପି, ଜନ ପ୍ରତିନିଧିଙ୍କ ବିରୋଧରେ ଷଡଯନ୍ତ୍ର କରି ବିଡିଓଙ୍କୁ ଅଧିକ କ୍ଷମତାଶାଳୀ କରିଛି। ବିଜେପିର ଏପରି ଗଣତନ୍ତ୍ର ବିରୋଧୀ ଆଭିମୁଖ୍ୟକୁ କଡା ସମାଲୋଚନା କରିଛି ବିଜେଡି। ଏହା ବିରୋଧରେ ବିଧାନସଭାରୁ ରାଜରାସ୍ତା ଯାଏ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଓ ସାରଦା ଜେନା।

ସେପଟେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସ ବିଜେପି ସହ ମିଶି ବିଜେଡିକୁ ବଦନାମ କରିବାକୁ ରାଜନୀତି କରୁଛି। ୨୦୨୪ ନିର୍ବାଚନରେ କଂଗ୍ରେସର ସବୁ ଭୋଟ କିପରି ବିଜେପିକୁ ଯାଇଥିଲା ସେ କଥା କହିଛନ୍ତି ପ୍ରମିଳା। ଏହାସହ ଅନାସ୍ଥା ପ୍ରସ୍ତାବ ଆଣିବା ପୂର୍ବରୁ କାହିଁକି ମୁଖ୍ୟ ବିରୋଧୀ ଦଳ ବିଜେଡି ସହ କଂଗ୍ରେସ ଆଲୋଚନା କରିନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା। କେବଳ ଲୋକ ଦେଖାଣିଆ ଭାବେ ମାତ୍ର ୧୪ ଜଣ ବିଧାୟକରେ କଂଗ୍ରେସ ଅନାସ୍ଥା ଆଣିଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, କଂଗ୍ରେସ କାହା ସହ ଅଛି।  ସେପଟେ ବିଜେପି କହିଛି କଂଗ୍ରେସ ଓ ବିଜେଡି ମିଶିକି ଅଛନ୍ତି । ଯାହାକୁ ନେଇ ମହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ।

ସ୍ବଳ୍ବକାଳୀନ ମୌସୁମୀ ଅଧିବେଶନରେ ଜାରି ରହିଛି ଅଚଳାବସ୍ଥା। ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ମୁଖ୍ୟ ବିରୋଧୀ ବିଜେଡି, ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଶାସକ ଦଳକୁ ଘେରୁଛି। ସେହିପରି କଂଗ୍ରେସ ମଧ୍ୟ ଶାସକ ଦଳକୁ କରୁଛି ଶାଣିତ ଆକ୍ରମଣ। ଯାହାକୁ ନେଇ ବେଶ ସରଗରମ ହୋଇଛି ଅଧିବେଶନ।