ମିଛ ଭିଡ଼ିଓ ଜରିଆରେ ଓଡ଼ିଶାକୁ ବଦନାମ କରୁଛି ବିଜେପି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସହିପାରୁନି ବିଜେପି । ବିନା ତଥ୍ୟ ପ୍ରମାଣରେ ଅଯଥାରେ ବିଜେଡିକୁ ଟାର୍ଗେଟ୍ କରୁଛି ଭାରତୀୟ ଜନତା ପାର୍ଟି ।
ୟୁଟ୍ୟୁବର କାମିଆ ଜାନୀଙ୍କ ଭିଡିଓକୁ ନେଇ ଚାଲିଛି ତୁଚ୍ଛା ରାଜନୀତି। ମହାପ୍ରଭୁଙ୍କ କାମରେ ବିଜେପିର ହୀନ ରାଜନୀତିକୁ ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ଇପସିତା ସାହୁ ଓ ସ୍ବୟଂପ୍ରକାଶ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇନଥିଲା । ରାଧାବଲ୍ଲଭ ମଠରେ ହୋଇଥିଲା ପ୍ରସାଦ ସେବନ। ମାତ୍ର ଓଡ଼ିଶାର ଗୌରବମୟ ଇତିହାସରେ ଇର୍ଷାନ୍ବିତ ହୋଇ ବଦନାମ ପାଇଁ ପ୍ରୟାସ କରୁଛି ବିଜେପି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆରମ୍ଭରୁ ହିଁ ବିଜେପି ବିରୋଧ କରିଆସୁଛି। ମହାପ୍ରଭୁଙ୍କ କାମ ଅଟକାଇବାକୁ ପ୍ରତି ମୁହୂର୍ତ୍ତରେ ଷଡ଼ଯନ୍ତ୍ର କରିଛନ୍ତି ବିଜେପି ନେତା । ପ୍ରକଳ୍ପ ଶିଳାନ୍ୟାସ ଦିନ ହିଁ ବିଜେପି ତାର ବିକାଶ ବିରୋଧୀ ଆଭିମୁଖ୍ୟ ଦେଖାଇଥିଲା। ପ୍ରତି ସମୟରେ ମହାପ୍ରଭୁଙ୍କ କାମ ଅଟକାଇବାକୁ ବିଜେପି ଉଦ୍ୟମ କରିଛି। ପ୍ରକଳ୍ପର ଶିଳାନ୍ୟାସ କରି ଫେରିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ଅଣ୍ଡା ଫୋପାଡ଼ିଥିଲେ ବିଜେପି କର୍ମୀ ।
ସେତେବେଳେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ। ଏହାପରେ ବି ବିଭିନ୍ନ ସମୟରେ ପ୍ରକଳ୍ପରେ ବାଧାଦେବାକୁ ହୀନ ଉଦ୍ୟମ କରାଯାଇଛି । ଓଡ଼ିଶାର ପ୍ରତି ବିକାଶମୂଳକ କାର୍ଯ୍ୟରେ ବିଜେପି ବାଧା ଦେଇଆସିଛି। ଡାହା ମିଛ କହି ଓଡ଼ିଶାକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ହେଲେ ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ରଟେ ବି ହଲେନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜଗନ୍ନାଥ ସଂସ୍କୃତିକୁ ବିଶ୍ବବିଦିତ କରୁଛି। ସମସ୍ତଙ୍କର ସହଯୋଗରେ ପରିକ୍ରମା ପ୍ରକଳ୍ପର କାମ ଆଗକୁ ବଢୁଛି।
ଆସନ୍ତା ୧୭ ତାରିଖରେ ଏହାର ଲୋକାର୍ପଣ କରାଯିବ। ଶ୍ରଦ୍ଧାଳୁମାନେ ସର୍ବୋତ୍ତମ ଓ ଦିବ୍ୟ ଅନୁଭବ ପାଇବେ। ମାତ୍ର ଏସବୁ ଓଡ଼ିଶା ବିଜେପିକୁ ପସନ୍ଦ ଆସୁନି । ରାଜ୍ୟର ବିକାଶରେ ରାଜ୍ୟ ବିଜେପିର ନେତାମାନେ ଗୌରାବନ୍ବିତ ବଦଳରେ ଇର୍ଷାନ୍ବିତ ହେଉଛନ୍ତି । ଓଡ଼ିଶା ଆଗକୁ ବଢିଲେ ସେମାନଙ୍କୁ କଷ୍ଟ ହେଉଛି । ମହାପ୍ରଭୁ ବିଜେପି ନେତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେଡି କହିଛି ।