ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ; ବିନ୍ଦୁସାଗରରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ । ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଇହଲୀଳା ତ୍ୟାଗକୁ ପୂରିଛି ୨୬ ବର୍ଷ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ ।

ଏହି ଅବସରରେ ସକାଳ ୬ ଘଟିକାରେ ବିନ୍ଦୁସାଗର ଉତ୍ତରେଶ୍ୱର ଘାଟରେ ରାମଧୂନ ସହ ତିଳ ତର୍ପଣ କାର୍ଯ୍ୟକ୍ରମ କରାଯାଇଛି । ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଓ ଦଳୀୟ ନେତୃବୃନ୍ଦ ସାମିଳ ହୋଇଥିଲେ । ରାଜ୍ୟର ଅନ୍ୟସ୍ଥାନରେ ଆଜି ତିଳତର୍ପଣ, ପ୍ରଭାତଫେରି ଓ ସମୂହ ସଫେଇ ଅଭିଯାନ ସହ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା, ରକ୍ତଦାନ ଶିବିର, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।

ସେହିପରି ଅପରା୍ହଣରେ ସମୂହ ଦୀପ ଦାନ କରାଯିବ। କ୍ୟାପିଟାଲ ହସ୍ପିଟାଲ ରେଡ଼କ୍ରସ ରକ୍ତ ଭଣ୍ଡାରରେ ଆୟୋଜନ ହେବ ରକ୍ତଦାନ ଶିବିର। ରକ୍ତ ଅଭାବ ଦୂର ଲାଗି ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଓ ଜୟ ଓଡ଼ିଶା ପକ୍ଷରୁ ଆୟୋଜନ ହେବ ମହତ କାର୍ଯ୍ୟକ୍ରମ। ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ନିଜକୁ ଗଢି ତୋଳିବାକୁ ଦଳୀୟ ନେତା ଓ କର୍ମୀ ଶପଥ ନେବେ ।