ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡିର ନବକଳେବର: ସୁପ୍ରିମୋଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହେଲା ଖସଡ଼ା
ଭୁବନେଶ୍ବର: ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶଙ୍ଖ ଭବନରେ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ। ଏଥିରେ ଉପଦେଷ୍ଟା କମିଟିର ଆବାହକ, କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ, ସଦସ୍ୟ ସଂଗ୍ରହ ଅଭିଯାନ କମିଟି ଆବାହକ, ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ତଥା ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସାଙ୍ଗଠନିକ ନିର୍ବାଚନ ଉପରେ ଆଲୋଚନା କରିଛନ୍ତି । ସମସ୍ତେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ସହ ମିଶି ନିର୍ବାଚନୀ ଖସଡ଼ା ପ୍ରସ୍ତୁତ କରିଛନ୍ତି ।
ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡିର ନବକଳେବର। ସଭାପତି ନିର୍ବାଚନ ସହ ନିର୍ବାଚିତ ହେବେ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ଷ୍ଟେଟ କାଉନସିଲ ସଦସ୍ୟ। ବିଜେଡି ସମନ୍ବୟ କମିଟି ବୈଠକରେ ସ୍ଥିର ହୋଇଛି ଦଳର ସାଂଗଠନିକ ନିର୍ବାଚନର ରୂପରେଖ । ନିର୍ବାଚନ ପରିଚାଳନା କରୁଥିବା ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏହି ଖସଡ଼ାକୁ ବିଭିନ୍ନ କମିଟି ଆଗରେ ଉପସ୍ଥାପନ କରିଛନ୍ତି। ସଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀଓ୍ବାରୀ ନେତା ଓ ଜିଲ୍ଲାସ୍ତରୀୟ ନେତାଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜୁ ଜନତା ଦଳ । ଖୁବଶୀଘ୍ର ଡିଆରଓ ବା ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ସେମାନେ ଜିଲ୍ଲା ସଭାପତି ନିର୍ବାଚିତ କରିବେ । ଡିଆରଓ ନିଯୁକ୍ତିର ୧୦ ଦିନ ପରେ ଆସେମ୍ବଲି ନିର୍ବାଚନ ଅଧିକାରୀ ବା ଏଆରଓ ନିଯୁକ୍ତି ପାଇବେ । ସେମାନେ ପଞ୍ଚାୟତ ଓ ପୌର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବେ। ଏହି ସବୁ ପ୍ରକ୍ରିୟା ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ ହେବ। ବରିଷ୍ଠ ଓ ଯୁବ ବର୍ଗଙ୍କ ସମନ୍ବୟରେ ଏହି କାର୍ଯ୍ୟକ୍ରମ ଶେଷ ହେବ ବୋଲି କହିଛି ବିଜେଡି।
ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଂଗଠନକୁ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ନେତା ଓ କର୍ମୀ। କାରଣ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ନେତୃତ୍ବକୁ ହିଁ ଜନମତ ମିଳି ଆସୁଛି । ଗତ ନିର୍ବାଚନରେ ବିରୋଧୀ ଆସନରେ ଥିଲେ ସୁଦ୍ଧା ସରକାରୀ ଦଳ ବିଜେପି ଠାରୁ ଅଧିକ ଭୋଟ୍ ପାଇଥିଲା ବିଜୁ ଜନତା ଦଳ । ଗଣତାନ୍ତ୍ରିକ ପଦ୍ଧତିରେ ବିଜୁ ଜନତା ଦଳ ସବୁ ସମୟରେ ନିର୍ବାଚନ କରି ଆସିଛି । ନିର୍ବାଚନ ମଣ୍ଡଳୀରେ ଜନସେବା ଓ ଗ୍ରହଣୀୟତାକୁ ଭିତ୍ତି କରି ପଦାଧିକାରୀ ଚୟନ କରୁଛି ବିଜେଡି।