ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ

1 min read

ଭୁବନେଶ୍ୱର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ। ଦିନ ସାଢ଼େ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ନାମାଙ୍କନ ଦାଖଲ ପୂର୍ବରୁ ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ। ରାଜ୍ୟରେ ଖାଲି ପଡ଼ିଛି ୩ଟି ରାଜ୍ୟସଭା ଆସନ। ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ହାତେଇବ ବିଜେଡି। ସବୁବେଳେ ସରପ୍ରାଇଜ୍ ଦେଉଥିବା ନବୀନ, ତୃତୀୟ ଆସନ ପାଇଁ କାହା ନାଁ ଘୋଷଣା କରିବେ ତାକୁ ଅପେକ୍ଷା କରାଯାଇଛି। ଗତକାଲି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ।

ଜାଣନ୍ତୁ କିଏ ଏହି ଦେବାଶିଷ-

ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ମୋ ପାଇଁ ସରପ୍ରାଇଜ ଥିଲା। ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ବାର୍ଥକୁ ଦିଲ୍ଲୀରେ ଉପସ୍ଥାପନ କରିବି। ତେବେ ଏହା ମୋ ପାଇଁ ଏକ ପ୍ରମୋସନ ବୋଲି କହିଛନ୍ତି ଦେବାଶିଷ। ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ । ଦେବାଶିଷ ୧୯୮୨ ମସିହାରେ ଶ୍ରୀଅରବିନ୍ଦ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବିଜେଡି ଟିକେଟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଦେବାଶିଷ । ପ୍ରଥମେ ୨୦୦୦ ମସିହାରେ ତିର୍ତ୍ତୋଲରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ବାରବାଟୀ କଟକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡିରେ ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିବା ସହ ସାଂଗଠନିକ ସ୍ତରରେ ଗୁରୁଦାୟିତ୍ବ ତୁଲାଉଥିଲେ । ବର୍ତ୍ତମାନ କଟକ ଜିଲ୍ଲା ବିଜେଡି ସଭାପତି ଅଛନ୍ତି ଦେବାଶିଷ ସାମନ୍ତରାୟ । ରାଜ୍ଯସଭା ପ୍ରାର୍ଥୀଭାବେ ତାଙ୍କୁ ବିଜେଡି ଘୋଷଣା କରିବା ପରେ ତାଙ୍କ ଶୁଭେଛା ଓ ସମର୍ଥକଙ୍କ ମଧ୍ଯରେ ଖୁସି ଖେଳିଯାଇଛି । ଏଥିପାଇଁ ସମସ୍ତେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜାଣନ୍ତୁ କିଏ ଏହି ଶୁଭାଶିଷ ଖୁଣ୍ଟିଆ

ଛାତ୍ର ରାଜନୀତିରୁ ରାଜ୍ୟସଭା ପ୍ରାର୍ଥୀ । ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ଯସଭା ପ୍ରାର୍ଥୀ କରିଛି ବିଜେଡି । ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି ଶୁଭାଶିଷ । ସେ ୨୦୦୭-୦୮ରେ ପୁରୀ ଜିଏମ ଲ କଲେଜ ସଭାପତି ଥିଲେ । ସେଠାରୁ ସେ ଆରମ୍ଭ କରିଥିଲେ ରାଜନୀତି । ପରବର୍ତ୍ତୀ ସମୟରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରହିଥିବା ବେଳେ ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ଵ ତୁଲାଉଛନ୍ତି। ସେ ପୁରୀ ଜିଲ୍ଲାର ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାରର ସଂଯୋଜକ ଦାୟିତ୍ବରେ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା ପଛରେ ତାଙ୍କର ବିଶେଷ ଅବଦାନ ରହିଛି । ଲୋକଙ୍କୁ ପ୍ରକଳ୍ପର ଉପକାରିତା ସମ୍ପର୍କରେ ବୁଝାଇବା ଏବଂ ପ୍ରକଳ୍ପକୁ ପୂର୍ଣ୍ଣ ରୂପଦେବାକୁ ବିଭିନ୍ନ ସମୟରେ ସେ ଗୁରୁଦାୟିତ୍ବ ତୁଲାଇଛନ୍ତି । ତୃଣମୂଳସ୍ତରରେ ଦଳକୁ ମଜବୁତ କରି ଦକ୍ଷ ସଂଗଠକ ଭାବେ ମଧ୍ଯ ସେ ପରିଚିତ।