ବରଦାସ୍ତ କରାଯିବନି କେନ୍ଦ୍ର ଅବହେଳା

1 min read

ନୂଆଦିଲ୍ଲୀ: ବରଦାସ୍ତ ନୁହେଁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟକୁ ଅବହେଳା ବିରୋଧରେ ଶାଣିତ ହେବ ସ୍ବର । ବିଜେଡି ସାଂସଦମାନେ ସଂସଦରେ ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଛନ୍ତି । ବାରମ୍ବାର ଅନୁରୋଧ ସତ୍ତ୍ବେ କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ଉଠାଉ ନଥିବାରୁ ରାଜ୍ୟସଭାର ଶୂନ୍ୟକାଳରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠିଛି । ରାଜ୍ୟର ହାରାହାରି ୧୫ ଲକ୍ଷ ମେଟ୍ରିକ ଟନ ବଳକା ଉଷୁନା ଚାଉଳ ଉଠାଇବାକୁ ଦାବି କରିଛି ବିଜେଡି ।

କୃଷି ପ୍ରଧାନ ରାଜ୍ୟ ଓଡ଼ିଶାକୁ କେନ୍ଦ୍ରର ଅବହେଳା । ଏଫ୍‌ସିଆଇ ଉଠାଉନି ବଳକା ଉଷୁନା ଚାଉଳ । ଏଫ୍‌ସିଆର ମନମୁଖୀ କାର୍ଯ୍ୟ ବିରୋଧରେ ଗର୍ଜିଛନ୍ତି ବିଜେଡି ସାଂସଦ । ସଂସଦରେ ପୁଣି ଉଠିଲା ବଳକା ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ।

୨୦୨୧-୨୨ ଖରିଫ ଋତୁରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟରୁ ରାଜ୍ୟର ନିଜସ୍ବ ବ୍ୟବହାର ପାଇଁ ଖର୍ଚ୍ଚ ହେବ ୩୦ ଲକ୍ଷ ମେଟ୍ରିକ ଟନ । ରାଜ୍ୟରେ ଉତ୍ପାଦିତ ଚାଉଳ ମଧ୍ୟରୁ ୯୦ ପ୍ରତିଶତ ଉଷୁନା ଚାଉଳ । ଏଫସିଆଇ ଏବର୍ଷ ୫ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୨ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଉଠାଇବାକୁ ଲକ୍ଷ୍ୟ ରଖିଛି । ଏହାଦ୍ବାରା ପ୍ରାୟ ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠିପାରିବନି । ତେବେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେଡିର ଯୁକ୍ତି ଗ୍ରହଣ କରିପାରୁନି ବିଜେପି ।

ଏଫ୍‌ସିଆଇର ମନମୁଖୀ କାର୍ଯ୍ୟ ବିରୋଧରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉଷୁନା ଚାଉଳ ଉଠାଣ ସମସ୍ୟା କେବଳ ଓଡିଶାର ନୁହେଁ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟ ବି ଏହି ସମସ୍ୟା ଭୋଗୁଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ଏଭଳି ମନମୁଖୀ କାର୍ଯ୍ୟକୁ ଓଡ଼ିଶା ବିରୋଧ କରିବ, ଏଥିରେ କୌଣସି ସାଲିସ କରାଯିବନି ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ଓଡ଼ିଶା ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ସଂସଦରେ ଲଢ଼େଇ କରୁଛି । କେନ୍ଦ୍ର ସରକାର ଚାଷୀଙ୍କ ବିକାଶ କଥା କହୁଥିଲେ ବି କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ । ଉଷୁନା ଚାଉଳ ଉଠାଣ ପ୍ରସଙ୍ଗରେ ଏଫସିଆଇର ଏକତରଫା ନିଷ୍ପତ୍ତିରୁ ଏହା ପ୍ରମାଣିତ ହେଉଛି ବୋଲି ବିଜେଡି ଅଭିଯୋଗ କରିଛି ।

Leave a Reply