ରାଜ୍ୟର ସ୍ଵାର୍ଥ ଏବଂ ଓଡ଼ିଆଙ୍କ ହିତ ପାଇଁ ଶୀତ ଅଧିବେଶନରେ ଲଢ଼ିଲେ ବିଜେଡିର ସପ୍ତରଥୀ ସାଂସଦ
1 min readନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନରେ ବିଜେଡି ସାଂସଦମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ରାଜ୍ୟସଭାର ଗୃହକାର୍ଯ୍ୟରେ ସେମାନେ ସକ୍ରିୟ ଅଂଶଗ୍ରହଣ କରି ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ନେଇଛନ୍ତି। ରାଜ୍ୟର ସ୍ଵାର୍ଥକୁ ନେଇ ବିଜେଡି ସାଂସଦ ଅନେକ ପ୍ରଶ୍ନ ପଚାରି ଥିଲେ, ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଥିଲେ । ତାସହିତ ବିଭିନ୍ନ ଜାତୀୟ ସ୍ଵାର୍ଥ ସମ୍ମିଳିତ ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇଥିଲେ । ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଏଥର ମଧ୍ୟ ରାଜ୍ୟସଭାରେ ଦାବି ଦୋହରାଇଥିଲେ ସସ୍ମିତ ପାତ୍ର । ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସସ୍ମିତ ପାତ୍ର ମୋଟ ୩୮ ଟି ଅଣତାରକା ଓ ୫ଟି ତାରକା ପ୍ରଶ୍ନ ଉତଥାପନ କରିଥିଲେ। ରାଜ୍ୟର ସ୍ଵାର୍ଥ ସମ୍ମିଳିତ ପ୍ରସଙ୍ଗ ଉଠାଇବା ସହିତ କୋଷ୍ଟାଲ ହାଇୱେ, ପୋଲାଭରମ ପ୍ରକଳ୍ପ, ଓଡ଼ିଶା ଉପରେ ଏହି ପ୍ରକଳ୍ପର ନକରାତ୍ମକ ପ୍ରଭାବ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ ପାତ୍ର । ଏହା ସହିତ କୋଇଲା ରୟାଲଟି ସଂଶୋଧନ ପାଇଁ ସେ ଦାବି ଦୋହରାଇଥିଲା। କୋଇଲା ରୟାଲଟି ସଂଶୋଧନ ହେଲେ ଓଡ଼ିଶା ଲାଭବାନ ହେବ। କିନ୍ତୁ କେନ୍ଦ୍ର ଏହା କରୁନଥିବାରୁ, ଦୃଷ୍ଟି ଆକର୍ଷଣ କରିଥିଲେ ସସ୍ମିତ ପାତ୍ର।
ସାଂସଦ ମାନସ ମଙ୍ଗରାଜ ୩୦ଟି ଅଣତାରକା ଓ ୪ଟି ତାରକା ପ୍ରଶ୍ନ ଉତଥାପନ କରିଥିଲେ। ବରିଷ୍ଠ ନାଗରିକଙ୍କ କଲ୍ୟାଣ, କୋଇଲା ଖନନ ଏବଂ ଓଡ଼ିଶାରେ MSME ର ବିକାଶ ସଂପର୍କିତ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମାନସ ମଙ୍ଗରାଜ । ଅଏଲ ଫିଲ୍ଡସ ସଂଶୋଧନ ବିଲ୍-୨୦୨୪ ଆଲୋଚନାରେ ଅଂଶଗ୍ରହଣ କରି, ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଇନରେ ସଂଶୋଧନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଅଏଲ ରିଫାଇନାରି ଦୁର୍ଘଟଣା ସଂପର୍କରେ ଗୃହକୁ ଅବଗତ କରାଇଥିଲେ ମାନସ ମଙ୍ଗରାଜ।
ସାଂସଦ ସୁଲତା ଦେଓ ୧୮ ଟି ଅଣତାରକା ଓ ୨ଟି ତାରକା ପ୍ରଶ୍ନ ଉଠାଇଥିଲେ । ଦୁଇଟି ପ୍ରମୁଖ ଆଲୋଚନାରେ ସେ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ବାୟୁଯାନ ବିଧେୟକ ସଂଶୋଧନ ବିଲ୍ ଓ ବଏଲର ସଂଶୋଧନ ବିଲ୍ ଆଲୋଚନାରେ ଅଂଶଗ୍ରହଣ କରି ଗଠନମୂଳକ ପ୍ରସ୍ତାବ ଦେଇଥିଲେ। ସେହିପରି ସାଂସଦ ମୁନ୍ନା ଖାନ୍ ୨୬ଟି ଅଣତାରକା ଓ ୪ଟି ତାରକା ପ୍ରଶ୍ନ ଉଠାଇଥିଲେ। ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ସରକାର ଏକ ପାଖିଆ ସମର୍ଥନ କରି, ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଘଂନ କରୁଛନ୍ତି ବୋଲି କହିଥିଲେ ମୁନ୍ନା ଖାଁ ।
ସେହିପରି ସାଂସଦ ନିରଞ୍ଜନ ବିଶି ୩୧ଟି ଅଣତାରକା ଓ ଗୋଟିଏ ତାରକା ପ୍ରଶ୍ନ ଉଠାଇଥିଲେ । ସମ୍ବିଧାନର ଅଷ୍ଟମ ଅନୁଛେଦରେ ହୋ, ମୁଣ୍ଡାରି, ଭୂମିଜ, କୁଇ, କୋଶଲୀ ଏବଂ ସଉରା ଭାଷାକୁ ସାମିଲ କରିବା ପାଇଁ ଦାବି କରିଥିଲେ ନିରଂଜନ ବିଶି। ସାଂସଦ ଦେବାଶିଷ ସାମନ୍ତରାୟ ୨୭ଟି ଅଣତାରକା ଓ ୪ଟି ତାରକା ପ୍ରଶ୍ନ ଉଠାଇଥିଲେ। ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସ୍ଵୟଂଶାସିତ ସଂସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ଓ ମିଶନ ଶକ୍ତି ଭଳି ବଳିଷ୍ଠ ପଦକ୍ଷେପ ନେଇଥିବା କହିଥିଲେ ଦେବାଶିଷ ସାମନ୍ତରାୟ। ଅନ୍ୟପଟେ ସାଂସଦ ଶୁଭାଶିଷ ଖୁଣ୍ଟିଆ ୧୪ଟି ଅଣତାରକା ଓ ୩ଟି ତାରକା ପ୍ରଶ୍ନ ଉଠାଇଥିଲେ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଓଡ଼ିଶାକୁ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡିର ଏହି ସାଂସଦ।