ଏସଏଜି ମା’ମାନଙ୍କୁ ଜୟନାରାୟଣଙ୍କ ଆକ୍ଷେପ ପ୍ରସଙ୍ଗ; କଡ଼ା ଜବାବ ଦେଲେ ବିଜେଡି ସାଂସଦ ସୁଲତା

ଭୁବନେଶ୍ୱର: ଏସଏଜି ମାମାନଙ୍କୁ ଜୟନାରାୟଣଙ୍କ ଆକ୍ଷେପ ପ୍ରସଙ୍ଗ । କଡ଼ା ଜବାବ ଦେଲେ ବିଜେଡି ସାଂସଦ ସୁଲତା ଦେଓ । ମହିଳା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଅନୁତପ୍ତ ନୁହଁନ୍ତି ଜୟନାରାୟଣ । ସୁଧୁରୁନାହାନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବାରମ୍ବାର ମହିଳାଙ୍କୁ କରୁଛନ୍ତି ଅପମାନିତ । ଧନୁପାଲି ଥାନା ମହିଳା ଆଇଆଇସିଙ୍କୁ ଆକ୍ରମଣ କରି ଭୁଲ ମାଗିବା ପରିବର୍ତ୍ତେ ରାଜ୍ୟର ସବୁ ମହିଳାଙ୍କୁ ଅପମାନିତ କରିବାକୁ ପଛାଇ ନାହାନ୍ତି ।

ମହିଳା ସଶକ୍ତିକରଣର ମଡେଲ ସାଜିଥିବା ଏସଏଚଜିକୁ ବଦନାମ କରିବାର ଅପଚେଷ୍ଟା କରିଛନ୍ତି । ଏସଏଚଜି ସଦସ୍ୟା ଟଙ୍କା ଖାଉଥିବାର ଆରୋପ ଆଣି ଓଡ଼ିଶାର ମାଆଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ । ଯାହାକୁ ନେଇ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଜୟନାରାୟଣଙ୍କ ପାଗଳାମି ଚରମ ସୀମାରେ ପହଞ୍ଚିଲାଣି ।  ମିଶନ ଶକ୍ତିକୁ ଦେଶ ମଡେଲ ଭାବେ ଗ୍ରହଣ କରୁଛି । ବିଭିନ୍ନ ରାଜ୍ୟର ପ୍ରତିନିଧି ଓଡ଼ିଶା ଆସି ମହିଳା ସଶକ୍ତିକରଣର ମଡେଲ ଦେଖୁଛନ୍ତି ।

ଜାତୀୟ ସ୍ତରରେ ଓଡ଼ିଶା ଏଥିପାଇଁ ସମ୍ମାନିତ ହେଉଛି । ମାଆମାନଙ୍କ ଜୀବନରେ ଆସିଥିବା କ୍ରାନ୍ତି ଜୟନାରାୟଣଙ୍କ ଦେହରେ ଯାଉନି । ଓଡ଼ିଶାର ମହିଳାମାନେ ସଶକ୍ତ ହୋଇ ରାଜ୍ୟର ପ୍ରଗତିକୁ ଆଗେଇ ନିଅନ୍ତୁ ଏକଥା ଚାହୁଁନାହାନ୍ତି ବିରୋଧୀ ଦଳ ନେତା । ପୂର୍ବରୁ ହତ୍ୟା ମାମଲାରେ ଜେଲ ଯାଇ ଫେରିଛନ୍ତି ଜୟନାରାୟଣ । ଅପରାଧିକ ମନୋବୃତ୍ତି ଥିବାରୁ ଓଡ଼ିଶାର ମହିଳା ସଶକ୍ତିକରଣ ତାଙ୍କୁ ଦେଖାଯାଉନି । ମାଆଙ୍କ ପ୍ରଗତିକୁ ଦେଖିବା ସହ ଓଡ଼ିଶାର ଉନ୍ନତିକୁ ଜୟନାରାୟଣ ଜାଣନ୍ତୁ ବୋଲି ବିଜେଡି କହିଛି ।