ଓଡିଶାର ରାଜନୈତିକ ପ୍ରସଙ୍ଗରେ ଟିପ୍ପଣୀ କରୁଛନ୍ତି ଛତିଶଗଡ ରାଜ୍ୟପାଳ

ଭୁବନେଶ୍ବର: ପଦମର୍ଯ୍ୟାଦା ରକ୍ଷା କରୁନାହାଁନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଛତିଶଗଡର ରାଜ୍ୟପାଳ ହୋଇ ମଧ୍ୟ ସେ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ କରୁଛନ୍ତି । ଏଭଳି ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ଅପିଲ୍ କରିଛି ବିଜେଡି । ରାଜ୍ୟପାଳଙ୍କୁ ଏଭଳି ରାଜନୈତିକ ମନ୍ତବ୍ୟ ଶୋଭାପାଏନି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଦେଶର ଗଣତନ୍ତ୍ରକୁ ବଳିଷ୍ଠ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାରୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଉଥିବା ଓଡିଆ ରାଜ୍ୟପାଳଙ୍କୁ ନେଇ ରାଜ୍ୟ ସବୁବେଳେ ଗର୍ବ ଅନୁଭବ କରେ । କିନ୍ତୁ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବା ପରେ ସେମାନେ ସମ୍ବିଧାନର ନୀତିନିୟମରେ କାମ କରିବା କଥା । ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ କ୍ଷମତା ଓ ଭୂମିକା ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ସେମାନେ କୌଣସି ରାଜନୈତିକ ଦଳ ସହ ଯୋଡିହେବା ଉଚିତ ନୁହେଁ । ଏପରିକି ନିରପେକ୍ଷତା ଅବଲମ୍ବନ କରିବାକୁ ରାଜନୈତିକ ଟିପ୍ପଣୀ ମଧ୍ୟ ଦେବା ଉଚିତ ନୁହେଁ । କିନ୍ତୁ ଗତ କିଛି ଦିନ ହେଲା ଛତିଶଗତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯେଉଁଭଳି ଓଡିଶା ବାବଦରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ପଦ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି । ବିଶ୍ବଭୂଷଣ ବାବୁ ତାଙ୍କ ପୁଅର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ । ଯେଉଁଥିପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ସସ୍ମିତ ଓ ବିଜେଡ଼ି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ।