ବିଜୁ ବାବୁଙ୍କ ଡାକୋଟା ସ୍ଥାନାନ୍ତର ନେଇ AAIର ନାହିଁ ଆନ୍ତରିକତା: ସଂସଦରେ ସ୍ୱର ଉଠାଇଲେ ଶର୍ମିଷ୍ଠା

ନୂଆଦିଲ୍ଲୀ: ଭୁବନେଶ୍ୱର ବିମାନବନ୍ଦରକୁ ଡାକୋଟା ବିମାନକୁ ସ୍ଥାନାନ୍ତର କରିବା ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈମାତୃକ ମନୋଭାବ ବିରୋଧରେ ସଂସଦରେ ସ୍ୱର  ଉଠାଇଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ । କୋଲକତା ବିମାନବନ୍ଦରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଏୟାରପୋର୍ଟ ଅଥରିଟି ଓ ରାଜ୍ୟ ସରକାରଙ୍କ ଏକ ଟିମ ମିଳିତ ଭାବେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥାନ ଚିହ୍ନଟ କରିଛନ୍ତି ।

ସେଠାରେ ଡାକୋଟାକୁ ସାଧାରଣ ଲୋକ ଦେଖିବା ପାଇଁ ରଖାଯିବ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏନେଇ ଏନଓସି ଦେବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏଯାଏ ଏଦିଗରେ କୌଣସି ଅନୁମତି ମିଳିନାହିଁ । ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଆଲୋଚନା ସମୟରେ ବିଜେଡି ସାଂସଦ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେହିଭଳି ପୁରୀରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

କେନ୍ଦ୍ର ସରକାର ୨୦୦୮ରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ନୀତି ପ୍ରସ୍ତୁତ କରିଥିଲେ ବି ଏଯାଏଁ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉନି । ପୁରୀକୁ ଦୈନିକ ଶହଶହ ଭକ୍ତ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ଟିମ କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି । ଏଥିସହିତ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି ଶର୍ମିଷ୍ଠା ସେଠୀ । ଏହି ଏୟାରଷ୍ଟ୍ରିପ ଏବେ ଡିଆରଡିଓ କର୍ତ୍ତୃତ୍ୱାଧିନ । ଉତ୍ତର ଓଡ଼ିଶାକୁ ବିମାନ ସେବା ଯୋଗାଇଦେବାକୁ ଏହି ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜେଏନୟୁ, ଡିୟୁ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବଦଳିଲା ଆଡମିଶନ ନିୟମ