‘ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଭୁଲ୍ ଭାବେ ତର୍ଜମା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’

ନନ୍ଦିଘୋଷ ବ୍ୟୁରୋ: ପଦମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ଅରୂଚିକର ମନ୍ତବ୍ୟ ଦେଇଥିଲେ ରାଜ୍ୟ ବିଜେପି ନେତୃବୃନ୍ଦ। ବାପାଙ୍କୁ ହରାଇଥିବା ଆଦିବାସୀ ଓଡ଼ିଆ ଝିଅ ବର୍ଷା ବିଜେଡିର ପ୍ରାର୍ଥୀ ଥିଲେ । ତାଙ୍କ ପ୍ରତି ଅମାନବୀୟ, ଅରୂଚିକର ଓ ନିମ୍ନମାନର ବକ୍ତବ୍ୟ ରାଜ୍ୟ ବିଜେପି ନେତା ରଖିଥିଲେ। ରେଜଲ୍ଟ ବାହାରିବା ପରେ ଏପରି ନକରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଭୁଲ୍ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତର୍ଜମା କରିଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ବିନମ୍ରତାର ସହ ମହିଳାଙ୍କୁ ଅସମ୍ମାନ ନକରିବାକୁ ଅନୁରୋଧ କରିଥିଲେ। ଏହାକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେନି। ଏପରିକି ବର୍ଷାଙ୍କ ଶ୍ବଶୂର ତଥା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କ ଆଖିରେ ଲୁହ ଆସିଥିଲା। ବିଜେପି ମହିଳାଙ୍କୁ ନେଇ କି ପ୍ରକାର ସନ୍ଦେଶ ଦେବାକୁ ଚାହୁଁଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି। ଦେଶରେ ସାଧାରଣ ଜୀବନରେ ମହିଳାଙ୍କ ଅଂଶଗ୍ରହଣ ବେଶ୍ କମ୍ ।

ଏପରି ମନ୍ତବ୍ୟ ଦେଇ ପବ୍ଲିକ ଲାଇଫ୍କୁ ଆସିବାକୁ ଚାହୁଁଥିବା ମହିଳାଙ୍କୁ ଲାଞ୍ଛିତ କରିବାକୁ ସନ୍ଦେଶ ଦେଉଛି କି ରାଜ୍ୟ ବିଜେପି। ଏହାଦ୍ବାରା ମହିଳାଙ୍କୁ ସାଧାରଣ ଜୀବନରୁ ଦୂରେଇ ଦିଆଯାଉନି କି ବୋଲି ସାଂସଦ ସସ୍ମିତ ପାତ୍ର ପ୍ରସ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ବିଜେଡି ସଭାପତି ନୁହନ୍ତି ତାଙ୍କୁ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାବାସୀ ବିଶ୍ବାସ କରି ଆସୁଛନ୍ତି। ତେଣୁ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ନୈତିକ ଦାୟିତ୍ବ ଭାବେ ସେ ଏହା କହିଥିବା ସସ୍ମିତ କହିଛନ୍ତି।