କେନ୍ଦ୍ର ୬ ଲକ୍ଷ ଆବାସ ଦେଉ, ବଳକା ଚାଉଳ ଉଠାଉ ଏଫସିଆଇ

ଭୁବନେଶ୍ୱର: ଓଡ଼ିଶାର ଦୁଇଟି ପ୍ରମୁଖ ଦାବିକୁ ଶୁକ୍ରବାର ରାଜ୍ୟସଭାରେ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ ଦାବି ରଖିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ପାଇଁ ‘ଆବାସ ପ୍ଲସ’ପୋର୍ଟାଲ ଖୋଲା ରଖନ୍ତୁ । କେନ୍ଦ୍ର ଏଥିରେ ବାଧକ ସାଜିଥିବାରୁ ଓଡ଼ିଶାର ୬ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ଜୁଲାଇ ମାସରେ ଚିଠି ଲେଖିଥିଲେ । ପଶ୍ଚିମ ଓଡ଼ିଶା, କେବିକେ ଓ ଦକ୍ଷିଣ ଓଡ଼ିଶା ସହ ଆଦିବାସୀ ବହୁଳ ଜିଲ୍ଲାର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଯୋଗାଇବାକୁ ରାଜ୍ୟ ସରକାର ଇଛା ପ୍ରକାଶ କରିଥିଲେ ମଧ୍ୟ କେନ୍ଦ୍ର ଏହାକୁ ବିଚାର କରୁନି । ଆବାସ ପ୍ଲସ ପୋର୍ଟାଲରେ ଏ ସମ୍ପର୍କିତ ତଥ୍ୟ ଏଯାଏଁ ଅପଲୋଡ ହେଇପାରୁନି । ତେଣୁ ଏହାକୁ ବିଚାର କରି କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ସସ୍ମିତ ଦାବି ରଖିଥିଲେ ।

BJD MP Sasmit Patra Demands Centre To Give 6 Lakhs PMAY

ସେହିଭଳି ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଣ ନେଇ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ର ଟାଳଟୁଳ ନୀତି ନେଇ ମଧ୍ୟ ସସ୍ମିତ ରାଜ୍ୟସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବଳକା ଉଷୁନା ଚାଉଳ ଏଫସିଆଉ ଉଠାଉ ନଥିବାରୁ ଏହା ଓଡ଼ିଶାର ଚାଷୀକୂଳକୁ ପ୍ରଭାବିତ କରୁଛି । ଏପରିକି ଏ ନେଇ ବିଜେଡି ସାଂସଦମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଦାବି ରଖିଥିଲେ । ଏ ସମ୍ପର୍କରେ ସେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଚାଷୀକୂଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ବଳକା ଉଷୁନା ଚାଉଳ ଉଠାଣ କରିବା ନେଇ ଏଫସିଆଇକୁ ନିର୍ଦ୍ଦେଶ ଦେବାକୁ ଡ. ପାତ୍ର ଦାବି କରିଛନ୍ତି । ଏହାକୁ ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply