ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଅପପ୍ରଚାର ବିରୋଧରେ ଗର୍ଜିଛନ୍ତି ବିଜେଡିର ସମସ୍ତ ସାଂସଦ । ଦଳର ସାତଜଣ ଯାକ ସାଂସଦ ମିଳିତ ସାମ୍ବାଦିକ ସମ୍ମିଳନୀରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଛ ଓ କପୋଳକଳ୍ପିତ ଖବରକୁ ତୀବ୍ର ନିନ୍ଦା କରିଛନ୍ତି । ବିଜେପି ଦ୍ବାରା ପରିଚାଳିତ ହୋଇ କିଛି ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରୁଛନ୍ତି । ଖବର ପ୍ରସାରଣ ବେଳେ ସମ୍ପୃକ୍ତ ଗଣମାଧ୍ୟମ ସବୁ ଲକ୍ଷ୍ମଣରେଖା ଅତିକ୍ରମ କରୁଛନ୍ତି । ଏଭଳି ମନଗଢା ପ୍ରସାରଣ ବନ୍ଦ ନହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବିଜେଡି ସାଂସଦମାନେ ଚେତାଇ ଦେଇଛନ୍ତି ।

ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର । ବିଜେପି ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ନିର୍ଦ୍ଦିଷ୍ଟ ମିଡିଆ ସାଜିଛନ୍ତି ଅସ୍ତ୍ର । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଘଟଣାକୁ ଦିଆଯାଉଛି ମିଛ ରାଜନୀତିର ରଙ୍ଗ । ବିଜେଡିର ଚେତାବନୀ, ସୁଧୁରିଯାଅ ନହେଲେ ନିଆଯିବ ଆଇନର ଆଶ୍ରୟ । ବିଜେଡି ସାଂସଦ ଓ ବିଜେଡି ବିରୋଧରେ କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଅପପ୍ରଚାରକୁ କଡା ସମାଲୋଚନା କରିଛନ୍ତି ଦଳର ସବୁ ସାଂସଦ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆମକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।

ଏହାକୁ ସେମାନେ ନିନ୍ଦା କରିଛନ୍ତି । ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରାଯାଉଛି, ସେମାନେ ବିକ୍ରି ହେବେ, ଅନ୍ୟ ଦଳକୁ ଯିବେ ବୋଲି କହି ଅପପ୍ରଚାର କରାଯାଉଛି। ସାଂସଦଙ୍କ ଫଟୋକୁ ମଧ୍ୟ ବିକୃତ କରାଯାଉଛି। ଏହା ଗଣମାଧ୍ୟମର ଶାଳୀନତା ନୁହେଁ, ଗଣମାଧ୍ୟମ ନିଜର ଲକ୍ଷ୍ମଣ ରେଖା ଅତିକ୍ରମ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ଦଳର ସାଂସଦମାନେ ଦୈନିକ ଭେଟି ରାଜ୍ଯ ସମସ୍ୟା କଥା କହିଥାନ୍ତି । ବିଜେଡି ସାଂସଦମାନେ ମଧ୍ୟ ସେହିଭଳି ରାଜ୍ୟର କିଛି ସମସ୍ୟାକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଉଛି । ଆଉ ଏଥିରେ ସମ୍ପୃକ୍ତ ସାଂସଦଙ୍କ ମତାମତ ମଧ୍ୟ ନିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିଭଳି ଭୁଲ ଖବର ପ୍ରସାରଣ ନ କରିବାକୁ ଦାବି କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ବିଜେଡି ଏକ ଅଛି ଓ ରହିବ । ନବୀନ ପଟ୍ଟନାୟକଙ୍କ ସହ ସବୁ ସାଂସଦ ଅଛନ୍ତି । ଏହାକୁ ନେଇ ମିଛ ଅପପ୍ରଚାର ନକରିବାକୁ ସେ ଦାବି କରିଛନ୍ତି । ସେପରି ସାଂସଦ ସୁଲତା ଦେଓ କହିଛନ୍ତି, ମିଛ ଖବର ପ୍ରସାରଣ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ। ନବୀନ ପଟ୍ଟନାୟକ ଆମର ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ । ଆମେ ନବୀନ ପଟ୍ଟନାୟକଙ୍କୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନବୀନ ଆମର କେନ୍ଦ୍ର ବିନ୍ଦୁ, ଆମେ ତାଙ୍କର ସଚ୍ଚୋଟ କର୍ମୀ ବୋଲି ସେ କହିଛନ୍ତି।

ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ଖବର ଦେଉଛନ୍ତି । ସେମାନେ ଚାହୁଁଛନ୍ତି ରାଜ୍ୟର ସ୍ଵାର୍ଥ କଥା ଦିଲ୍ଲୀରେ ନ ଉଠୁ । ବିଜେଡି ବିରୋଧରେ ଅପପ୍ରଚାର କରୁଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେପି ଦ୍ଵାରା ପରିଚାଳିତ ନହେବାକୁ ଅପିଲ କରିଛନ୍ତି । ମିଛ ଖବର ପ୍ରସାରଣ ବନ୍ଦ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାଇ ଦେଇଛନ୍ତି ସାଂସଦ ନିରଂଜନ ବିଶି। ଶୁଭାଶିଷ ଖୁଣ୍ଟିଆ ବି କହିଛନ୍ତି, ବିଭ୍ରାନ୍ତକର ଖବର ବନ୍ଦ କରି ସଠିକ୍ ଖବର ଦିଅନ୍ତୁ ବୋଲି ସେ କହିଛନ୍ତି ।

ଗତ ନିର୍ବାଚନରେ ବିଜେପି ସରକାର ଗଠନର ସଂଖ୍ୟା ଗଣିତରେ ଆଗୁଆ ଥିଲେ ବି ସାମଗ୍ରୀକ ଭୋଟ ହାରରେ ବିଜେଡି ଆଗୁଆ ରହିଥିଲା । ସେହିପରି ଏବେ ବି ନବୀନଙ୍କ କ୍ରେଜ କାହିଁରେ କଣ ? ଏଥିରେ ଭୟଭୀତ ହୋଇ ଦଳ ଓ ଦଳର ସାଂସଦଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ  ।