ପିନାକୀଙ୍କ ଚ୍ୟାଲେଞ୍ଜ, ପୁରୀରେ ହେଉନି ବେଆଇନ କାମ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ରୋକଠୋକ୍ ଖଣ୍ଡନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇ ପିନାକୀ କହିଛନ୍ତି, ଯଦି ସେ ସଂସଦରେ ମିଛ କହିଛନ୍ତି, ତେବେ ତାଙ୍କ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ । ଓଡ଼ିଶା ସରକାର ପୁରୀରେ କୌଣସି ବେଆଇନ କାର୍ଯ୍ୟ କରୁନାହାନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ଏଏସଆଇ ସମ୍ପୂର୍ଣ୍ଣ ଅବଗତ ଅଛି । ସେହିପରି ଯେଉଁ ସଙ୍ଗଠନ ଓ ଆଇନଜୀବୀମାନେ ମୁଁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି, ସେମାନେ କୋର୍ଟରେ ଚ୍ୟାଲେଞ୍ଜ କରନ୍ତୁ । ଏଭଳି ଆହ୍ୱାନ ଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ।

ସୂଚନା ଅନୁସାରେ ଲୋକସଭାରେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇଥିବା କହିଥିଲେ ଅପରାଜିତା ଷଡ଼ଙ୍ଗୀ । ତେବେ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ କି ଶ୍ରୀମନ୍ଦିର ପ୍ରକଳ୍ପରେ ଆଇନ ଉଲ୍ଲଂଘନ ହୋଇନାହିଁ । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ସଂସଦରେ କହିଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର ।