ଆଶା କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ଯ୍ୟାଳୟରେ ୫ ବିଜେଡ଼ି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାଂସଦ ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ମନସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରିଛନ୍ତି । ବିଜେଡ଼ି ସାଂସଦ ସୁବାସ ସିଂହ ଗୃହର ଶୂନ୍ୟକାଳରେ ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ଓ ସପ୍ତମ ବେତନ କମିଶନ ଦେବା ପାଇଁ ବାରମ୍ବାର ଦାବି କରି ଆସିଛନ୍ତି । ଚଳିତ ଶୀତ ଅଧିବେଶନରେ ସଂସଦର ଗୃହ କାର୍ଯ୍ୟ ପ୍ରାୟତଃ ମୁଲତବୀ ରହୁଥିବାରୁ ଗୃହର ଶୂନ୍ୟକାଳରେ ଆଶା କର୍ମୀଙ୍କ ସପ୍ତମ ବେତନ କମିଶନଙ୍କ ମାସିକ ୧୮ହଜାର ଟଙ୍କା ଲାଗୁ ଓ ସରକାରୀ ମାନ୍ୟତା ଦାବି ପ୍ରସଙ୍ଗ ଉଠିପାରିନଥିଲା ।
ଫଳରେ ଆଜି ନିର୍ମାଣ ଭବନ ଠାରେ ସାଂସଦ ସୁବାସ ସିଂହ, ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ ଓ ଚନ୍ଦ୍ରାଣୀ ମୁର୍ମୁ ମନ୍ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଆଶା କର୍ମୀମାନଙ୍କୁ ବେତନ ଓ ସରକାରୀ ମାନ୍ୟତା ପ୍ରସଙ୍ଗରେ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରିଥିଲେ । ସାଂସଦ ସୁବାସ ସିଂହ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟାଙ୍କୁ ଅବଗତ କରି କହିଥିଲେ କରୋନା ସମୟରେ ଆଶାକର୍ମୀ ନିଜ ଜୀବନକୁ ବିପନ୍ନ କରି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ଏବଂ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳରେ ବହୁବିଦ୍ଧ ଅସୁବିଧା ସତ୍ୱେ ପାଦରେ ଚାଲି ଚାଲି ଆଶା କର୍ମୀମାନେ କଷ୍ଟ ସହି ମା’ ଓ ଶିଶୁଙ୍କ ଚିକିତ୍ସା ସେବା ଯୋଗାଉଛନ୍ତି ।
ଦିନକୁ ୧୫ଘଣ୍ଟା କାମ କରିବି ମାସକୁ ୫ହଜାର ଟଙ୍କା ମିଳୁନାହିଁ । ଏହାଦ୍ୱାରା ଆଶାକର୍ମୀଙ୍କ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ତଥା ସୁରକ୍ଷା ବିପନ୍ନ ହେଉଛି । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହିତ ପେନସନ, ପିଲାଙ୍କ ପାଠପଢା, ଗସ୍ତ ଖର୍ଚ୍ଚ ତଥା ମାସକୁ ୧୮ହଜାର ଟଙ୍କା ଦରମା ଯୋଗାଇ ଦେବା ନିହାତି ଜରୁରୀ ବୋଲି ସୁବାସ ସିଂହ ଦର୍ଶାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି କେନ୍ଦ୍ରକୁ ଆଶାକର୍ମୀଙ୍କ ବେତନ ବୃଦ୍ଧି ଓ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପତ୍ର ଲେଖି ଆସୁଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ବର୍ତ୍ତମାନ ଆଶା କର୍ମୀଙ୍କ ବେତନକୁ ୬୦ପ୍ରତିଶତ ଦେଉଥିବାବେଳେ ରାଜ୍ୟ ସରକାର ୪୦ପ୍ରତିଶତ ବେତନ ପ୍ରଦାନ କରୁଛନ୍ତି ଏବଂ ଓଡ଼ିଶା ସରକାର ଆଶା କର୍ମୀଙ୍କୁ ମାସକୁ ୧ହଜାର ଟଙ୍କା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।