ଓଡ଼ିଶାରେ ବାତ୍ଯାର ପ୍ରାରମ୍ଭିକ ଚେତାବନୀ ପାଇଁ କ’ଣ ନିଆଯାଇଛି ପଦକ୍ଷେପ: ମାନସ

1 min read

ନୂଆଦିଲ୍ଲୀ: ଓଡ଼ିଶାରେ ବାତ୍ୟାର ଆଗୁଆ ଆକଳନ ଓ ଦୂରୀକରଣ ନେଇ ପ୍ରଶ୍ନ ଉଠାଇଲେ ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ପଚାରିଲେ, ରାଜ୍ୟରେ ବାତ୍ୟାର ଆଗୁଆ ଆକଳନ ଓ ଦୂରୀକରଣ ପାଇଁ କେନ୍ଦ୍ର ସରକାର କ’ଣ ନେଉଛନ୍ତି ପଦକ୍ଷେପ ? ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ପ୍ରାରମ୍ଭିକ ଚେତାବନୀ ଓ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି କି ?

ଏହାର ଉତ୍ତରରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଓଡିଶାରେ ସର୍ଫେସ ମନିଟରିଂ ସିଷ୍ଚମ ବ୍ୟବସ୍ଥା ଅଧୀନରେ ୩୯ଟି ମାନବ ପର୍ଯ୍ୟବେକ୍ଷଣ କେନ୍ଦ୍ର ଅଛି । ସେହିଭଳି ୨୯ଟି ସ୍ଵୟଂଚାଳିତ ପାଣିପାଗ କେନ୍ଦ୍ର ଓ ୧୩୬ଟି ଅଟୋମେଟେଡ ରେନ ଗେଜ ଷ୍ଟେସନ ଅଛି । ପାରାଦୀପ ଓ ଗୋପାଳପୁରରେ ଦୁଇଟି ରାଡାର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ଅଛି । ସେହିଭଳି ଉଚ୍ଚ ପବନର ଗତି ମାପିବାକୁ ୬ଟି HWSR ସିଷ୍ଚମ ରହିଛି । ଯାହା ସମଗ୍ର ଉପକୂଳ ଓଡିଶାକୁ ଅଛାଦିତ କରୁଛି । ୪ଟି ବିମାନ ଚଳାଚଳ ପର୍ଯ୍ୟବେକ୍ଷଣକାରୀ ଷ୍ଟେସନ ଓ ଗୋଟିଏ ଏରୋଡ୍ରୋମ ପାଣିପାଗ କାର୍ଯ୍ଯାଳୟ ଅଛି । ଏଥିସହ ୪ଟି ଆଭିଏସନ ୱେଦର ଅଟୋମେଟିକ ଷ୍ଟେସନ ଓ ଦୁଇଟି ମାନବ ଚାଳିତ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।