କେନ୍ଦ୍ର ସରକାରଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ, ରାଜ୍ୟ ଐତିହ୍ୟର ସଂରକ୍ଷଣ ପାଇଁ କେତେ ଅର୍ଥ ମଞ୍ଜୁର କରିଛ ?

1 min read

ଭୁବନେଶ୍ବର: ରାଜ୍ୟରେ ଐତିହାସିକ କିର୍ତ୍ତିରାଜୀର ସୁରକ୍ଷା ଦିଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉଦାସୀନତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଅନେକ କ୍ଷେତ୍ରରେ ଐତିହାସିକ କିର୍ତ୍ତିରାଜୀ ଗୁଡିକ ଜବରଦଖଲକାରୀଙ୍କ କବଜାରେ ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କେତେ ଐତିହ୍ୟ କ୍ଷେତ୍ରର ସୁରକ୍ଷା ଦାୟିତ୍ବ କେନ୍ଦ୍ର ସରକାର ନେଇଛନ୍ତି ଓ ଏହାର ସଂରକ୍ଷଣ ପାଇଁ କେତେ ଅର୍ଥ ମଞ୍ଜୁର କରିଛନ୍ତି, ସେନେଇ ସଂସଦରେ ଲିଖିତ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏହାର ଉତ୍ତରରେ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ରାଜ୍ୟର ୮୧ଟି ଐତିହାସିକ କିର୍ତ୍ତିରାଜୀର ସୁରକ୍ଷା ଦାୟିତ୍ବ ନେଇଛି । ଜାତୀୟ ସଂରକ୍ଷଣ ନୀତି ଆଧାରରେ ଏହି ସବୁ କିର୍ତ୍ତିରାଜୀର ସୁରକ୍ଷା ଓ ସଂରକ୍ଷଣ କରାଯାଉଛି । ୨୦୨୧-୨୨ରେ କେନ୍ଦ୍ର ସରକାର ଏଥିପାଇଁ ୮ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ, ୨୦୨୨-୨୩ରେ ୧୩ କୋଟି ୧୮ ଲକ୍ଷ ଏବଂ ୨୦୨୩-୨୪ରେ ୧୨ କୋଟି ୨୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହିସବୁ କିର୍ତ୍ତିରାଜୀର ସୁରକ୍ଷା ପାଇଁ ଓ୍ବାଚ ଆଣ୍ଡ ଓ୍ବାର୍ଡ ଷ୍ଟାଫ ନିଯୁକ୍ତି କରାଯାଇଥିବା ବେଳେ, ଜବରଦଖଲ ଯାଞ୍ଚ ପାଇଁ ନିୟମିତ ଯାଞ୍ଚ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।