ଓଡ଼ିଶା ପ୍ରତି ବୈମାତୃକ ମନୋଭାବ: ରାଜ୍ୟସଭାରେ କଡ଼ା ଭାଷାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସମାଲୋଚନା

1 min read

ନୂଆଦିଲ୍ଲୀ: ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଚାଷୀ ସମସ୍ୟାଠାରୁ ଆରମ୍ଭ କରି ମହାନଦୀ ପ୍ରସଙ୍ଗ, ଆବାସ ଯୋଜନା, ରେଳବାଇ, ପ୍ରାକୃତିକ ଦୁର୍ବିପାକ, ଆୟୁଷ୍ମାନ ଭାରତ, ମିଶନ ଶକ୍ତି, ଦରଦାମ ଓ ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମାନସ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ନିଜର ବିବୃତି ରଖି ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ମୁହଁରେ କେନ୍ଦ୍ର ସରକାର କୁହାଇଥିବା କଥା ଶ୍ରୁତି ମଧୁର କିନ୍ତୁ ଅନ୍ତସାର ଶୂନ୍ୟ । ଚାଷୀଙ୍କ ଆୟ ବୃଦ୍ଧି ହୋଇଥିବା କୁହାଯାଉଛି । ହେଲେ ଦେଶର କୌଣସି ବି ରାଜ୍ୟରେ ଚାଷୀମାନେ ସ୍ବାମୀନାଥନ କମିଶନ ରିପୋର୍ଟ ଆଧାରରେ ଏମଏସପି ପାଉନାହାଁନ୍ତି । ଗତମାସରେ ଅଦିନିଆ ବର୍ଷାରେ ଓଡିଶାରେ ବହୁ ଅଞ୍ଚଳରେ ଫସଲ ହାନୀ ହୋଇଥିଲା । ଏଥିରେ ମର୍ମାହତ ହୋଇ ଦୁଇ ସପ୍ତାହରେ ପ୍ରାୟ ୧୫ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଷ୍ଟ୍ରପତି ଆମ ଓଡିଶା ଝିଅ, କିନ୍ତୁ ଅଭିଭାଷଣରେ ଓଡିଶା ମାଟି ପ୍ରତି ମମତ୍ବ ଅନୁଭବ କରିହେଲାନି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ସେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଯୋଜନାରେ ୩ କୋଟି ଘର ଦିଆଯାଇଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୁହାଯାଇଛି । କିନ୍ତୁ ଓଡିଶା ଏକ୍ଷେତ୍ରରେ ଉପେକ୍ଷିତ । ଏବେ ବି କେବିକେ ଅଞ୍ଚଳରେ ବହୁ ଗରିବ ପରିବାର ପକ୍କା ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ପାଞ୍ଚ ବର୍ଷ ତଳେ ବାତ୍ୟା ‘ଫନି’ ପ୍ରଭାବିତ ଅବିଭକ୍ତ ପୁରୀ ଜିଲ୍ଲାର ହଜାର ହଜାର ଲୋକ ମୁଣ୍ଡ ଉପରୁ ଛାତ ଉଡିଯାଇଥିଲା । ହେଲେ ପରିତାପର ବିଷୟ ୫ ବର୍ଷ ପରେ ବି ଏହି ଲୋକଙ୍କୁ ଘର ଖଣ୍ଡେ ମିଳିନି । ଆଜି ବି ଏମାନେ ଛାତ ପାଇଁ କେନ୍ଦ୍ର ଦୟାକୁ ଅପେକ୍ଷା କରି ରହିଛନ୍ତି ।

କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ନେଟଓ୍ବର୍କ କରାଯିବା କଥା କହୁଯାଉଛି । ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ବି ଓଡିଶାର ବହୁ ଅଞ୍ଚଳକୁ ରେଳ ଲାଇନ ଯାଇନି । ଖୋର୍ଦ୍ଧା-ବଲାଙ୍ଗୀର ଓ ତାଳଚେର-ବିମଳାଗଡ ରେଳପଥ କାମ ଦୁଇ ଦଶନ୍ଧୀ ହୋଇଗଲା ଶେଷ ହେଉନି । ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ପାଇଁ ବିଜେଡି ସରକାର ଜମି ଓ ଆନୁସଙ୍ଗିକ ସହୟତା ଦେବା ପରେ ବି କାମ ଝୁଲି ରହିଛି । ଦେଶର ଲାଭକାରୀ ପୂର୍ବତଟ ରେଳବାଇକୁ ଭାଙ୍ଗି ୱାଲଟିୟର ଡିଭିଜନ କରାଯାଇଛି ବୋଲି ସେ କହିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ମାନସ କହିଛନ୍ତି, କେନ୍ଦ୍ର ସରକାର ବାହାସ୍ଫୋଟ ମାରୁଛନ୍ତି । ବିଜେଡି ସରକାରରେ ଲାଗୁ କରାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)କୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି । ଆୟୁଷ୍ମାନ ଭାରତଠାରୁ ବିଏସକେୱାଇ ଅଧିକ ଲାଭଦାୟକ । କାରଣ ଆୟୁଷ୍ମାନ ଭାରତର ବାର୍ଷିକ ବ୍ୟୟ ତୁଳନାରେ ବିଏସକେୱାଇ ବ୍ୟୟ ଅଟକଳ ଅଧିକ । ସେ ଆହୁରି କହିଛନ୍ତି, ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ କେନ୍ଦ୍ର ସରକାର କହୁଛନ୍ତି । ସେପଟେ ଓଡିଶାର ଲକ୍ଷପତି ହୋଇଥିବା ମିଶନ ଶକ୍ତି ମହିଳାଙ୍କୁ ପୁଣି ଭିକାରୀ କରିବାକୁ ଷଡଯନ୍ତ୍ର ହୋଇଛି । ମିଶନ ଶକ୍ତିକୁ ପଙ୍ଗୁ କରିଦେବାକୁ ଚକ୍ରାନ୍ତ କରାଯାଉଛି ।

କେନ୍ଦ୍ର ସରକାର ଡିଜିଟାଲ ମିଶନ କଥା କହୁଛନ୍ତି, ହେଲେ ଓଡିଶାରେ ହଜାର ହଜାର ଗାଁକୁ ଏବେ ବି ଇଣ୍ଟରନେଟ ପହଞ୍ଚି ନଥିବା ସେ ଦାବି କରିଛନ୍ତି । ଦରଦାମ ଓ ବେରୋଜଗାରୀ ବର୍ତ୍ତମାନ ଦେଶର ସବୁଠୁ ବଡ ପ୍ରସଙ୍ଗ ହୋଇଥିବା ବେଳେ ଏଥିପ୍ରତି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନୀବର ଥିବା ସେ କହିଛନ୍ତି ।

ସେ କହିଛନ୍ତି, ପୋଲାଭରମ ପାଇଁ ଓଡିଶାର ହଜାର ହଜାର ଅନୁସୂଚିତ ପରିବାର ବାସଚ୍ୟୁତ ହେବାକୁ ବସିଛନ୍ତି । ବିଜେଡି ଏହା ବିରୋଧରେ ସବୁ ଫୋରମରେ ଅଭିଯୋଗ କରିଥିଲେ ବି କେନ୍ଦ୍ର ଦୃଷ୍ଟି ଦେଉନି । ମହାନଦୀ ପ୍ରସଙ୍ଗରେ ବି ସମାନ ସ୍ଥିତି । କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପାଇଁ ମହାନଦୀ ମୃତବତ ହୋଇଯାଇଛି । ଛତିଶଗଡ଼ ସରକାରଙ୍କ ମନମାନିକୁ କେନ୍ଦ୍ର ନିରବରେ ସମର୍ଥନ କରୁଛି । ସବୁଠାରୁ ଉଦବେଗର କଥା ହେଉଛି ଏଥିରେ ରାଷ୍ଟ୍ରପତିଙ୍କ ନିରବତା ଓଡିଶାବାସୀ ଭାବେ ରାଜ୍ୟବାସୀଙ୍କ ପାଇଁ କଷ୍ଟଦାୟକ ବୋଲି ସେ କହିଛନ୍ତି ।