ରାଜନୀତିରେ ରହି ଗର୍ବ ଓ ଅହଙ୍କାର ଦେଖାଇଲେ ଚଳିବ ନାହିଁ: ମାନସ ମଙ୍ଗରାଜ

ଖଣ୍ଡପଡ଼ା: ରାଜନୀତିରେ ରହି ଗର୍ବ ଓ ଅହଙ୍କାରର ସ୍ଥାନ ନାହିଁ । ନାଁ ନନେଇ ସୌମ୍ୟଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ । ଖଣ୍ଡପଡ଼ାର ପୂର୍ବତନ ଲୋକପ୍ରିୟ ବିଧାୟକ ଅରୁଣ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ସେ ପରୋକ୍ଷରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ ଆଦୌ ଠିକ ନୁହେଁ । ବିଜେଡିରେ ଥାଇ ସେ ବିଜେଡିକୁ ସମାଲୋଚନା କରୁଛନ୍ତି । ପୂର୍ବରୁ ମଧ୍ୟ କଂଗ୍ରେସ ଓ ବିଜେପିରେ ରହି ମଧ୍ୟ ସେ ସେହି ଦଳକୁ ସମାଲୋଚନା କରୁଥିଲେ ।

ଏହା ଆଦୌ ଠିକ ନୁହେଁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ଅରୁଣ ପଟ୍ଟନାୟକଙ୍କ ସମୟରେ ଖଣ୍ଡପଡାର ବିକାଶ ହୋଇଥିଲା। ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକଙ୍କ ସମୟରେ ବିକାଶ ହୋଇଛି । ଅନୁଭବଙ୍କୁ ବ୍ୟକ୍ତିଗତ ଭାବେ ଜାଣେ । ସେ ଜଣେ, ଭଦ୍ର, ନମ୍ର, ଅମାୟିକ ଓ ଉଚ୍ଚ ଶିକ୍ଷିତ। ସିଏ ସବୁବେଳେ ବିକାଶ କଥା ଚିନ୍ତା କରନ୍ତି। ଲୋକଙ୍କ ସାଙ୍ଗରେ ରୁହନ୍ତି, ତାଙ୍କ ଭଦ୍ର ଓ ନମ୍ର ବ୍ୟବହାର ପାଇଁ ସେ ଜଣାଶୁଣା। ରାଜନୀତିରେ ଅହଂକାରୀଙ୍କ ପାଇଁ ଉଦାହରଣ ହେଉଛନ୍ତି ନମ୍ର, ଉଚ୍ଚ ଶିକ୍ଷିତ ଅନୁଭବ। ଗର୍ବ ଓ ଅହଙ୍କାର ଛାଡି ରାଜନୀତି କରିବା ଉଚିତ ବୋଲି କହିଛନ୍ତି ମାନସ ।