ଓ୍ବାକଫ ବିଲ୍ ଭୋଟିଂକୁ ନେଇ ଦେବାଶିଷଙ୍କ ମନ୍ତବ୍ୟ: ବର୍ଷିଲେ ବିଜେଡି ସାଂସଦ ମାନସ, ସୁଲତା ଏବଂ ନିରଞ୍ଜନ

1 min read

ନନ୍ଦିଘୋଷ ବ୍ୟୁରୋ: ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ଟ୍ବିଟ୍ କରି ବର୍ଷିଲେ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି । ୱାକଫ ବିଲ ପ୍ରସଙ୍ଗରେ ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟକୁ ନେଇ ପ୍ରତିକ୍ରିୟା ରଖିବାବେଳେ ଭି.କେ. ପାଣ୍ଡିଆନଙ୍କ ସଂପର୍କରେ ଦେବାଶିଷ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଂସଦମାନେ କହିଛନ୍ତି । ଏଥିସହ ନିଜ ବ୍ୟକ୍ତିଗତ ରାଗ ସୁଝାଇବା ପାଇଁ ଦେବାଶିଷ ଏଭଳି ମନ୍ତବ୍ୟ ରଖି ଦଳର କ୍ଷତି କରୁଥିବା ମଧ୍ୟ କେହି କେହି ପ୍ରତିକ୍ରିୟା ରଖିଛନ୍ତି ।

ନିଜ ଟ୍ବିଟରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ‘୧୦ ମାସ ତଳେ ଭି.କେ. ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ ଦଳର କୌଣସି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁନାହାଁନ୍ତି । ଦଳରେ କିଛି ଅସୁବିଧା ହେଲେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରାଯାଇପାରିବ । ଯାହା ଦଳର କିଛି ବରିଷ୍ଠ ନେତା କରିଆସୁଛନ୍ତି । କିନ୍ତୁ ଏହା ନକରି ଦେବାଶିଷ ବାବୁ ସିଧାସଳଖ ମିଡିଆ ସାମ୍ନାରେ ଦଳରେ ନଥିବା ଜଣେ ବ୍ୟକ୍ତିଙ୍କ ସଂପର୍କରେ ମନ୍ତବ୍ୟ ଦେବା ତାଙ୍କ ମନ୍ଦ ଅଭିପ୍ରାୟକୁ ପଦାରେ ପକାଉଛି । ସେ କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଥିବା ସ୍ପଷ୍ଟ ହେଉଛି ।’

ସେହିଭଳି ସାଂସଦ ସୁଲତା ଦେଓ କହିଛନ୍ତି, ପୁଲୱାମା ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିଥିଲେ । ତାଙ୍କୁ କ୍ଷମା ମାଗିବା ପାଇଁ ସେତେବେଳେ ଭି.କେ. ପାଣ୍ଡିଆନ ଚାପ ପକାଇଥିଲେ । ଯାହା ଫଳରେ ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ରାଗ ରହିଥିଲା, ଯାହା ଏବେ ସେ ସୁଝାଉଛନ୍ତି । ପାର୍ଲାମେଣ୍ଟରେ ଭୋଟ ଦାନ ରାତିରେ କୌଣସି କାରଣରୁ ଦେବାଶିଷ ସାମନ୍ତରାୟ ଶୋଇ ପଡିବାରୁ ଭୋଟ ଦେଇପାରି ନଥିଲେ । ତାକୁ ଲୁଚାଇବାକୁ ଯାଇ ସେ ଅନ୍ୟକୁ ଦୋଷ ଦେଉଛନ୍ତି । ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏଥିରୁ ସେ ନିବୃତ୍ତ ରହିବାକୁ ଅନୁରୋଧ ।’

ସାଂସଦ ନିରଞ୍ଜନ ବିଶି ମଧ୍ୟ ନିଜ ଟ୍ବିଟ ଜରିଆରେ ଦେବାଶିଷଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଭି,କେ. ପାଣ୍ଡିଆନ ବହୁତ ଦିନ ହେଲା ରାଜନୀତିରୁ ବିଦାୟ ନେଇ ସାରିଛନ୍ତି । କିନ୍ତୁ ୱାକଫ ବିଲ ସଂପର୍କରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏ ସଂକ୍ରାନ୍ତୀୟ ବିବୃତିକୁ ନିନ୍ଦା କରୁଛି । କିଛି ଅଭିସନ୍ଧି ରଖି ସେ ଏଭଳି କରୁଥିବା ତାଙ୍କର ଦୃଢ ଧାରଣା ହେଉଛି ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସେପଟେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଯଦି ୱାକଫ ବିଲକୁ ବିରୋଧ କରୁଥିଲେ, ଗୃହରେ ବିରୋଧ କରିଥାନ୍ତେ । କାହିଁକି କଲେ ନାହିଁ ଦେବାଶିଷ ବାବୁ ? ଦେବାଶିଷ ସାମନ୍ତରାୟ ବିଜେପିକୁ ସମର୍ଥନ କରି ଭୋଟ ଦେଲେ ନାହିଁ l ବାହାରେ ଆସି ୱାକଫ ବିଲକୁ ନେଇ କାହିଁକି କାନ୍ଦୁଛନ୍ତି ? ଲୋକେ ସବୁ ବୁଝିଲେଣି l ଏବେ ବିଜେଡିର ଯେଉଁମାନେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି ଆଗରୁ କାହିଁକି କଲେ ନାହିଁ ? ଯେଉଁ ସମୟରେ ଆରୋପ କରିବା କଥା କଲେ ନାହିଁ । ଏବେ ସରକାର ଗଲା ପରେ କହୁଛନ୍ତି l ଏବେ ତ ସମସ୍ତେ କହୁଛନ୍ତି, ସେମାନେ ଅଧିକ କ’ଣ କହୁଛନ୍ତି ? ଜଣେ ବ୍ୟକ୍ତି ବିରୋଧରେ କହିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ସୋଫିଆ ।