ପାର୍କ ଓ ଚା’ ଖଟିରେ ମନ୍ମଥ, ନେଉଛନ୍ତି ଲୋକଙ୍କ ଆଶୀର୍ବାଦ

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଜମୁଛି ପ୍ରଚାର । ବିଜେଡି ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ପ୍ରଚାରକୁ ଜୋରଦାର କରିଛି । ଆଜି ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ସହ ରାଜଧାନୀର ବିଭିନ୍ନ ପାର୍କ ଓ ଚା’ ଖଟିକୁ ଯାଇ ଲୋକଙ୍କ ସହ ମିଶିଛନ୍ତି ।

ଅଶୋକଙ୍କ ସହ କଳିଙ୍ଗ ନଗର ଅଞ୍ଚଳର ବିଭିନ୍ନ ପାର୍କ ଓ ଚା’ ଖଟିକୁ ଯାଇ ଲୋକଙ୍କ ସହ ସମ୍ପର୍କ ଯୋଡିଛନ୍ତି ମନ୍ମଥ । ସକାଳୁ ସକାଳୁ ଏପିଜେ ଅବଦୁଲ କଲାମ ପାର୍କ, ଆନନ୍ଦ ବନ, ଜୟଦେବ ବାଟିକା ପରିସରରେ ବୁଲି ଲୋକଙ୍କ ସହ କଥା ହୋଇ ସୁଖ ଦୁଃଖ ବୁଝୁଛନ୍ତି ମନ୍ମଥ । ମାଆ, ମାଉସୀ ଓ ବରିଷ୍ଠ ନାଗରିକ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି । ଏହି ଆର୍ଶୀବାଦ ଓ ସ୍ନେହକୁ ନେଇ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ମନ୍ମଥ ।

ଗୋଟିଏ ପଟେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଚାରିଆଡୁ ନିଜ ଦଳ ଭିତରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ହେଲେ, ବିଜେଡି ପ୍ରାର୍ଥୀ ମନ୍ମଥଙ୍କୁ ଲୋକେ ହୃଦୟରୁ ଆଶୀର୍ବାଦ ଦେଉଛନ୍ତି । ଆଉ ଲୋକଙ୍କ ଭଲ ମନ୍ଦ ବୁଝି, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ମନ୍ମଥ ।

ସୂଚନାଯୋଗ୍ୟ, ଲୋକଙ୍କ ପାଖରୁ ଭଲ ପାଇବା ପାଇ ଭାବବିହ୍ବଳ ହୋଇ ଯାଇଛନ୍ତି ମନ୍ମଥ । ଲୋକଙ୍କୁ ଭେଟିବା ପରେ କହିଛନ୍ତି, ‘ମୋ ଉପରେ ଲୋକଙ୍କ ଆଶୀର୍ବାଦ ଅଛି ଜାଣିଥିଲି । ହେଲେ ଏତେ ଭଲ ପାଇବା ଓ ଆଶୀର୍ବାଦ ମିଳିବ କେବେ ଭାବି ନଥିଲି ।’