୫ଜି ସେବାକୁ ସ୍ବାଗତ, ପ୍ରଚାର ସର୍ବସ୍ବ ହୋଇ ନରହୁ କହିଲା ବିଜେଡି

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫T ମଡେଲ ଅଛି । ସେଥିରେ ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି । ଯାହାଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଉଛି । ୫G ସେବାକୁ ସ୍ୱାଗତ । ହେଲେ ଏହା ପ୍ରଚାରସର୍ବସ୍ବ ହୋଇ ନରହୁ ବୋଲି ବିଜେଡି କହିଛି । ଓଡ଼ିଶାର ଟେଲି ଡେନସିଟି 75 ପ୍ରତିଶତ । ଜାମ୍ମୁ କାଶ୍ମୀରରେ ଅଧିକ ଅଛି । ଆମେ ଏଥିରେ ବହୁ ପଛରେ ଓ ଅବହେଳିତ । ଗାଁରେ ଏହା 62 ପ୍ରତିଶତ । ଲୋକଙ୍କ ପାଖରେ କେମିତି ୫G ସେବା ପହଞ୍ଚିବ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ୬ ହଜାର ୨୭୮ ଗାଁରେ ଇଣ୍ଟେରନେଟ ସୁବିଧା ନାହିଁ । ସଂସଦରେ ଉତ୍ତରରେ ଆସିଥିଲା ଓଡ଼ିଶାରେ ୨ ହଜାର ୫୦୦ ଟାୱାର ଦରକାର । ହେଲେ ୪୮୮ ଟାୱାର ମଞ୍ଜୁର ହୋଇଛି । ବାକି ୨୦୦୦ ହୋଇନି । ଭାରତ ନେଟ କାମ କେବେ ସରିବ, ସେ ତଥ୍ୟ କେନ୍ଦ୍ର ସରକାର ଦେଇ ନାହାନ୍ତି । ଅନଲାଇନ ଶିକ୍ଷା କିପରି ବାଧାପ୍ରାପ୍ତ ହୋଇଥିଲା, ତାହା ସମସ୍ତେ ଜାଣନ୍ତି । ଏପରି ସ୍ଥିତିରେ ୫G ସେବା କେମିତି ପହଞ୍ଚିବ ବୋଲି ବିଜେଡି ପ୍ରଶ୍ନ କରିଛି ।

ଦିଲ୍ଲୀରେ ସଂସଦ ଭବନ ପାଖରେ ଏହି ସୁବିଧା ମିଳୁନାହିଁ । ଓଡ଼ିଶାର ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ । ଆମର ଏଥିରେ ସହଯୋଗ କରିବାରେ କିଛି ଅସୁବିଧା ନାହିଁ । ହେଲେ ଗାଁରେ କେମିତି ସୁବିଧା ହେବ, କେବେ ପହଞ୍ଚିବ, ତା’ର ଜବାବ ନାହିଁ । ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଏହା କରିବା ଦରକାର । ଓଡ଼ିଶାକୁ ଭଲ ଇଣ୍ଟରନେଟ ସୁବିଧା ଦରକାର । ଆଦିବାସୀ ଅଞ୍ଚଳକୁ ଭଲ ଇଣ୍ଟରନେଟ ଦରକାର । ୫G ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି । ଏହା ପ୍ରଚାରସର୍ବସ୍ବ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।