ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ପାଇଁ ପ୍ରସ୍ତାବ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କୋଭିଡରେ ଅନାଥ ଶିଶୁ କେମିତି ପାଇବେ ବାପାମାଆଙ୍କ ସ୍ନେହ ? ଏଥିପାଇଁ ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅମର ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି । କୋଭିଡରେ ଅନାଥ ଶିଶୁଙ୍କ ଦାୟିତ୍ୱ ନେଇଛନ୍ତି ସରକାର । କିନ୍ତୁ ଏହି ଶିଶୁଙ୍କ ବାପାମାଆଙ୍କ ସ୍ନେହ ମିଳିପାରିବନି । ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ଦ୍ୱାରା ଅନାଥ ଶିଶୁମାନେ ବୟସ୍କଙ୍କ ସ୍ନେହ ପାଇପାରିବେ । ଜରାଶ୍ରମର ଅନ୍ତେବାସୀ ମଧ୍ୟ ପିଲାଙ୍କ ସ୍ନେହ ପାଇବେ ।

କେରଳରେ ଏହିଭଳି ମଡେଲ ଗ୍ରହଣ କରାଯାଇଥିବା ଦର୍ଶାଇ ଅମର ଓଡ଼ିଶାରେ ମଡେଲ ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି । ସେହିପରି ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବନଜୀବିକା ପାଇଁ ସହାୟତା ଦାବି କରିଛନ୍ତି ଅମର । କହିଛନ୍ତି, ବୁଣାକାର ଓ ହସ୍ତଶିଳ୍ପୀଙ୍କୁ କାଳିଆ ଯୋଜନା ଭଳି ସହାୟତା ମିଳୁ । କୋଭିଡ ପାଇଁ ୨୦୨୦ ମାର୍ଚ୍ଚରୁ ବୁଣାକାରମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ।

ଲକଡାଉନ ଯୋଗୁଁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିପାରୁନାହାନ୍ତି ବୁଣାକାର । ରାଜ୍ୟକୁ ବିଦେଶୀ ମୁଦ୍ରା ଆଣିବାରେ ସହାୟକ ହୋଇଥାନ୍ତି ବୁଣାକାର । ମନରେଗାରେ ଏହି ଗୋଷ୍ଠୀ କାର୍ଯ୍ୟ କରିପାରିବେ ନାହିଁ । ସରକାରୀ କାର୍ଯ୍ୟକ୍ରମ କେବଳ ସମବାୟ କ୍ଷେତ୍ର ସହ ଜଡିତ ବୁଣାକାରଙ୍କୁ ମିଳୁଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୁଣାକାର ସୁବିଧା ପାଉନାହାନ୍ତି । କାଳିଆ ଯୋଜନା ଭଳି ବର୍ଷେ ଦୁଇବର୍ଷ ପାଇଁ ସହାୟତା ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ୧୬୯୦କୋଟିର କୋଭିଡ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

Leave a Reply