ରାଜ୍ୟସଭାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଂଗ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ: ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶାର ଦାବିକୁ ତୁରନ୍ତ କେନ୍ଦ୍ର ସରକାରଙ୍କୁ ପୂରଣ କରିବା ପାଇଁ ଗୃହରେ ଦାବି କରିଛନ୍ତି ସାଂସଦ । ଦ୍ୱିତୀୟ ଏମ୍ସ ପାଇଁ ଜମି ଅଧିଗ୍ରହଣ ସହ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରି ତା’ର ରିପୋର୍ଟ ମଧ୍ୟ ଦେଇସାରିଛି । ହେଲେ ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ କେନ୍ଦ୍ର ।

୫୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ଓ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଦେଇଥିଲେ ମଧ୍ୟ ଏ ଯାଏ ସୁନ୍ଦରଗଡ଼ରେ ଦ୍ୱିତୀୟୟ ଏମ୍ସ ନେଇ କେନ୍ଦ୍ର ଦୃଷ୍ଟି ଆକର୍ଷଣ କରୁନାହିଁ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍ସ ନହେବାରୁ ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ । କେନ୍ଦ୍ରର ଏପରି ଅବହେଳାକୁ ପୂରା ଜିଲ୍ଲାବାସୀ ବିରୋଧ କରିଛନ୍ତି ।

ରାଜ୍ୟର ଦ୍ୱିତୀୟ ସର୍ବବୃହତ ଜିଲ୍ଲା ହେଉଛି ସୁନ୍ଦରଗଡ଼ । ଏଠାକାର ମୋଟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକେ ହେଉଛନ୍ତି ଅଦିବାସୀ ।  ଏବଂ ଏଠାରେ ଅର୍ଦ୍ଧାଧିକ ଚାଷୀ କ୍ଷୁଦ୍ର ଚାଷୀ । ଏଣୁ ଏଠାକାର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଏମ୍ସ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା କହିଛନ୍ତି ସାଂସଦ ଶ୍ରୀ ପଟ୍ଟନାୟକ । ଏଥିସହିତ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଓ ଏନ୍‌ଟିପିସିର ସହାୟତାରେ ପ୍ରଜେକ୍ଟ କାର୍ଯ୍ୟ ସରିଯାଇଥିବା ବେଳେ ଆବଶ୍ୟକୀୟ ଚିକିତ୍ସା ଉପକରଣ କିଣାଯିବା ପ୍ରକ୍ରିୟା ଜାରି ରହିଛି । ଏହି ଭିତ୍ତିଭୂମିକୁ ଏମ୍ସ ପ୍ରତିଷ୍ଠା ନେଇ ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

Leave a Reply