ଜାତୀୟ ଖାଦ୍ୟ ସୁରକ୍ଷାରେ ଚାଉଳ ହ୍ରାସକୁ ନେଇ ବର୍ଷିଲା ବିଜେଡି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୧୦ କିଲୋ ବଦଳରେ ୫ କିଲୋ ଚାଉଳ ପ୍ରଦାନ କରାଯିବା ପ୍ରସଙ୍ଗରେ ସଂସଦରେ ବିଜେଡି ସାଂସଦ ପ୍ରତିବାଦ କରିଛନ୍ତି । ମୁଣ୍ଡପିଛା ୫ କିଲୋ ଚାଉଳ କମାଯିବା ଦ୍ୱାରା ପରିବାରକୁ ମାସିକ ୨୫ରୁ ୩୦ କିଲୋ କମ୍ ଚାଉଳ ମିଳିବ । ଏହାଦ୍ୱାରା ଦେଶର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ଓଡ଼ିଶା ଭଳି ରାଜ୍ୟରେ ଏବେ ବି କୋଭିଡ ପ୍ରଭାବ କମିନାହିଁ । ତେଣୁ ପୂର୍ବ ଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୧୦ କିଲୋ ଲେଖାଏଁ ଚାଉଳ ଦେବାକୁ ସେ ଦାବି କରିଛନ୍ତି । ଆଜି ସଂସଦର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବାକୁ ସେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସଂସଦ ମୁଲତବି ହୋଇଯିବାରୁ ସେ ଆଲୋଚନା କରିପାରିନାହାଁନ୍ତି । ଗରିବ ଲୋକଙ୍କୁ କମ୍ ଚାଉଳ ଯୋଗାଣ ଅର୍ଥ ଚାଷୀଙ୍କଠାରୁ ଧାନ ସଂଗ୍ରହ ମଧ୍ୟ ହ୍ରାସ ପାଇବ । ଏଭଳି ନିଷ୍ପତ୍ତିରେ ଉଭୟ ଚାଷୀ ଓ ଗରିବଙ୍କ ପେଟକୁ ଲାତ ମାରୁଛନ୍ତି କେନ୍ଦ୍ର ସରକାର । ସେହିଭଳି ଗତବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦ ହଜାର କୋଟି କମ୍ ବ୍ୟୟବରାଦ କରାଯାଇଛି । ଏହି ଗରିବ ଶୋଷଣ ନୀତି ନୁହେଁ ତ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅମର ପଟ୍ଟନାୟକ ।