ସର୍ବନିମ୍ନ ଦରମା ୩ ଲକ୍ଷ ୪୫ ହଜାର । ବିଜେପି ବିଧାୟକଙ୍କ ଛାଡୁନି ଲୋଭ । ବର୍ଦ୍ଧିତ ଦରମା ସପକ୍ଷରେ ଯୁକ୍ତି ବାଢିଲେ ଆସ୍କା ଜନପ୍ରତିନିଧି ସରୋଜ ପାଢୀ । ପ୍ରଶ୍ନ, ଲୋକ ଦେଖାଣିଆ ଥିଲା କି ପୁନର୍ବିଚାର ପ୍ରସ୍ତାବ ? ବିଜେଡି କହିଲା, ନିଷ୍ପତ୍ତି ନେଇପାରୁନାହିଁ ବିଜେପି । ଡିସେମ୍ବର ୯ ତାରିଖ । ବିଧାନସଭାରେ ପାରିତ ହୋଇଥିଲା ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଧେୟକ । ବିଧାୟକଙ୍କ ଦରମା ଏକାଥରକେ ବିଜେପି ସରକାର ୩ଗୁଣା କରିବା ପରେ ପୂରା ଓଡିଶାରେ ଜନଆକ୍ରୋଶ ଦେଖାଦେଇଥିଲା। ଜନଆକ୍ରୋଶକୁ ଦେଖି ବିଜେପି ମୁଙ୍ଗୁଆଳ ଦଳୀୟ ବିଧାୟକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରି ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ପରେ ବି ବିଜେପି ବିଧାୟକଙ୍କ ବର୍ଦ୍ଧିତ ଦରମା ବୃଦ୍ଧି ଲୋଭ ଛାଡୁନାହିଁ ।
ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଦରମାକୁ ନେଇ ବହୁତ ତୁମ୍ବିତୋଫାନ ହେଲା। ଭୁବନେଶ୍ୱର ଘରେ ନଥାଇ ବିଜୁଳି ବିଲ୍ ୧୫ ହଜାର ଟଙ୍କା ଆସିଛି। ଯଦି ଥାଆନ୍ତି କେତେ ଟଙ୍କା ଆସିଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ମୋର ଦରମା କେତେ ? ମୁଁ ଗାଡି EMI କେତେ ଦେବି ? ଏପରି ଡ୍ରାଇଭର ଦରମା ସହ ଅନ୍ୟ ଖର୍ଚ୍ଚର ଲମ୍ବା ତାଲିକା ଗଣମାଧ୍ୟମ ଆଗରେ ବଖାଣିଥିଲେ ସରୋଜ । ମୁଁ କଣ ୠଣ କରି ଆଣି ଦେବି ବୋଲି ସରୋଜ ପ୍ରଶ୍ନ କରିଛନ୍ତି । ଦରମା ବୃଦ୍ଧି ହଣ୍ଡ୍ରେଡ ପର୍ସେଣ୍ଟ ଠିକ୍ ଥିଲା ବୋଲି ସେ କହିଛନ୍ତି । ବିଜେପି ବିଧାୟକ ଉମା ଚରଣ ମଲ୍ଲିକ କହିଛନ୍ତି, ଦରମା ବୃଦ୍ଧି ହେବାର ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି ।
ବିଜେପି ବିଧାୟକଙ୍କ ବର୍ଦ୍ଧିତ ଦରମା ବୃଦ୍ଧିର ଦୋମୁହାଁ ନୀତିକୁ କଡା ସମାଲୋଚନା କରିଛି ବିଜେଡି । ବିଜେଡି କହିଛି, ରାଜ୍ୟରେ ଏକ ନନ-ସିରିୟସ ସରକାର । ରଙ୍ଗ ମାରି ବୋର୍ଡ ଲଗାଇବାରେ ପାରଙ୍ଗମ ଏ ସରକାର । ଯାହା ସରକାର ନିଷ୍ପତ୍ତି ନେଉଛନ୍ତି ଭାବିଚିନ୍ତି ନେବା କଥା। ଏ ସରକାର ଗୋଟିଏ ଆଦେଶ ଦେଇ ଦୁଇ ଦିନ ପରେ ତାକୁ ଫେରାଇ ନେଉଛନ୍ତି । ଭବିଷ୍ୟତ ପ୍ରତି ଚିନ୍ତା ନାହିଁ। ଦୂରଦୃଷ୍ଟି ସମ୍ପନ୍ନ ସରକାର ନୁହେଁ। ବିଧାୟକ ଦରମା ଅତ୍ୟଧିକ ବୃଦ୍ଧି ହେବା ବିଜେପି ସରକାରର ଆଉ ଗୋଟିଏ ତ୍ରୁଟି ବୋଲି ବିଜେଡି ଅଭିଯୋଗ କରିଛି ।
ବିଧାୟକଙ୍କ ଦରମା ଏକାଥରକେ ବିଜେପି ସରକାର ୩ ଗୁଣା ବୃଦ୍ଧି କରିବା ଓ ଏହାକୁ ପଛୁଆ ଭାବେ ଲାଗୁ କରିବା ନେଇ ଦେଶରେ ଚର୍ଚ୍ଚାକୁ ଆସିଥିଲା ଓଡିଶା । ସାରା ଓଡିଶାରେ ପ୍ରତିବାଦ ହେବା ପରେ ବିଜେପି ବର୍ଦ୍ଧିତ ଦରମାର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବାର ମାସକ ଭିତରେ ବିଜେପି ବିଧାୟକଙ୍କ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିବା ଆଭିମୁଖ୍ଯକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।

