ମହାପ୍ରଭୁଙ୍କ ଦର୍ଶନ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ବିଜେଡିର ଉଦବେଗ

ଭୁବନେଶ୍ବର: ଶୂନ୍ୟକାଳରେ ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା ନେଇ ଉଦବେଗ । ପ୍ରଶ୍ନ ଉଠାଇଲେ ପୁରୀର ବିଜେଡି ବିଧାୟକ ସୁନୀଲ ମହାନ୍ତି । କହିଲେ, ଜଗନ୍ନାଥ ମନ୍ଦିରରେ ପରିଚାଳନା କମିଟି କାର୍ଯ୍ୟକ୍ଷମ ନାହିଁ । ନୂଆ କମିଟି ଗଠନ ହୋଇନାହିଁ । ଶ୍ରୀଜିଉଙ୍କ ଦର୍ଶନ କରିବାରେ ପୁରୀର ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେ କହିଛନ୍ତି, ପୁରୀବାସୀଙ୍କୁ ପଶ୍ଚିମ ଦ୍ୱାରରେ ଆଧର କାର୍ଡ ଦେଖାଇ ଛଡା ଯାଉଥିଲା । ବର୍ତ୍ତମାନ ଚାରିଦ୍ୱାରରେ ଲମ୍ବା ଲାଇନ ଲାଗୁଛି । ଭକ୍ତମାନେ ଭୀଷଣ ଖରାରେ ହନ୍ତସନ୍ତ ହେଉଛନ୍ତି । ସପ୍ତାହକୁ ଥରେ କିମ୍ବା ମାସକୁ ଚାରିଦିନ ପୁରୀବାସୀଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଲେ ସୁନୀଲ । ଏହାସହ ସବୁବେଳେ ଲାଗି ରହୁଥିବା ଭିଡ଼କୁ ନିୟନ୍ତ୍ରଣ କରାଯାଉ ବୋଲି ସେ ଦାବି କରିଛନ୍ତି ।
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ହାଉସ କମିଟି, ପୁରୀ ଯାଇ ବୈଠକ କରିବା ସହିତ ସମସ୍ୟାର ଅନୁଧ୍ୟାନ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଧାୟକ । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଦାବି କରିଛନ୍ତି ସେବାୟତ ଓ ପୁରୀବାସୀ ।