ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଧୋଇଲେ ରଣେନ୍ଦ୍ର

ଭୁବନେଶ୍ବର: ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବରେ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ୯ ମାସରେ ଆଦିବାସୀ ବିଦ୍ୟାଳୟର କେମିତି ଚାଲିଛି ତାହା ବଖାଣିଲେ । ବିରୋଧୀ ଦଳରେ ଥିବା ବେଳେ ସେତେବେଳେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ, ସନାତନ ବିଜୁଳି କ’ଣ କହିଥିଲେ ଓ ଏବେ ଶାସକ ଦଳରେ ରହିବା ପରେ କ’ଣ କରୁଛନ୍ତି ତାକୁ ନେଇ ରଣେନ୍ଦ୍ର କଟାକ୍ଷ କରିଛନ୍ତି ।
ରଣେନ୍ଦ୍ର କହିଛନ୍ତି, ତୋ ବାକ୍ୟ ତୁ ରକ୍ଷା କର ସୌଦାଗର । ୯ ମାସର ବିଜେପି ସରକାରରେ ଆବାସିକ ହଷ୍ଟେଲରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । କେଉଁ କାରଣରୁ ମୃତ୍ୟୁ ହୋଇଛି ସରକାର ତାହା ଜାଣିନାହାନ୍ତି । ବିଜେପି ସରକାର କେବଳ କଥା କୁହା ସରକାର । ଆଜି ଆବାସିକ ହଷ୍ଟେଲରେ ଛାତ୍ରଛାତ୍ରୀ ଅସୁରକ୍ଷିତ । କେଉଁଠି ଆବାସିକ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହୋଇ ଛୁଆ ଜନ୍ମ କରୁଛି ତ ଆଉ କେଉଁଠି ୧୧୬ ଜଣ ଛାତ୍ରଛାତ୍ରୀ ୨୫ କିମି ଚାଲି ଚାଲି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ଦୃଷ୍ଟି ନାହିଁ । ୯ ମାସରେ ଏସସି/ଏସଟି ବିଭାଗ ୪୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି । ଏଥିରୁ ସରକାର ଆଭିମୁଖ୍ୟ କେମିତି ଚାଲିଛି ତାହା ଜଣାପଡ଼ିଯାଉଛି । ରାଜ୍ୟରେ ବିଜେପି ସରକାର ସାମ୍ବିଧାନିକ ଠକେଇ କରୁଛନ୍ତି । ସରକାର ସଚେତନ ହୁଅନ୍ତୁ ବୋଲି ଚେତାଇ ଦେଇଛନ୍ତି ରଣେନ୍ଦ୍ର ।